ବାଲେଶ୍ୱରରେ ଋଣ ସମ୍ପ୍ରସାରଣ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା ଅଗ୍ରଣୀ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ସମୂହଙ୍କ ପକ୍ଷରୁ ଋଣ ସମ୍ପ୍ରସାରଣ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହାକୁ ଉଦଘାଟନ କରଥିଲେ । ଜନସାଧାରଣଙ୍କ ନିକଟରେ ବ୍ୟାଙ୍କ ସେବା ଉପଲବ୍ଧ ସାଙ୍ଗକୁ ସହଜ ଋଣପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ସମୂହଙ୍କ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ମହାମାରୀ କରୋନାରେ ପ୍ରଭାବିତ ଅର୍ଥନୀତିକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାରେ ସରକାରଙ୍କ ଏହି କାର୍ଯ୍ୟକ୍ରମ ବେଶ ସ୍ୱାଗତଯୋଗ୍ୟ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ତେବେ ବ୍ୟାଙ୍କରୁ ନେଉଥିବା ଋଣଅର୍ଥକୁ ହିତାଧିକାରୀମାନେ ଉଚିତ ମାର୍ଗରେ ବିନିଯୋଗ ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଅଞ୍ଚଳ ପ୍ରବନ୍ଧକ ନିଶିକାନ୍ତ ସିଂ, ନାବାର୍ଡ଼ ଜିଲା ଉନ୍ନୟନ ଅଧିକାରୀ ତାପସ ପ୍ରଧାନ, ୟୁନିୟନ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକଶଙ୍କର ହେମ୍ବ୍ରମ, ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁଦୀପ ଡାକୁଆ ପ୍ରମୁଖ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଋଣ ସମ୍ପ୍ରସାରଣ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ ସରକାରଙ୍କ ଅର୍ଥନୈତିକ ସେବା ବିଭାଗ ନିର୍ଦ୍ଦେଶ କ୍ରମେ ଏହି ଋଣ ସମ୍ପ୍ରସାରଣ ଶିବିର ଆୟୋଜିତ ହୋଇଥିବା ବେଳେ ସର୍ବସାଧାରଣ ସହଜରେ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବ୍ୟାଙ୍କ ଅଧିକାରୀମାନେ କହିଥିଲେ । ଏହି ଶିବିରରେ ପିଏମଇଜିପି, ମୁଦ୍ରା ଋଣ, ପିଏମ ଷ୍ଟ୍ରିଟ୍ ଭେଣ୍ଡର, ପିଏମ ଖାଦ୍ୟ ପ୍ରକ୍ରିୟାକରଣ, ପିଏମ କିଶାନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆବେଦନକାରୀଙ୍କୁ ଋଣ ମଞ୍ଜୁରି କରାଯାଇଥିଲା । ଏହି ଶିବିରରେ ୪୦୯୯ ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ତରଫରୁ ୧୦୬.୧୭କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।