ବାଲେଶ୍ୱରରେ ଓଡ଼ିଆ ଲେଖିକା ସମ୍ମେଳନ
ବାଲେଶ୍ୱର, (ସରୋଜ ପଣ୍ଡା) : କେନ୍ଦ୍ର ସାହିତ୍ୟ ଅକାଦେମି’ ଓ ‘ଯୁଗଶ୍ରୀ ଯୁଗନାରୀ’ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଲେଖିକା ସମ୍ମେଳନ ଓ ‘ଲେଖିକାଙ୍କ ସାହିତ୍ୟରେ ନାରୀ ମନସ୍ତତ୍ୱ’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ହୋଟେଲ ଫାଣ୍ଟାସିରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସାରଳା ପୁରସ୍କାର ବିଜେତା ବନଜ ଦେବୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ ସହ ମାନବିକ ମୂଲ୍ୟବୋଧର ଅଧୋଗତି ରୋକିବା ନେଇ ଲେଖିକାମାନେ ସଚେତନ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । କେନ୍ଦ୍ର ସାହିତ୍ୟ ଅକାଡେମୀ ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ଏଥିରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ବିଜୟାନନ୍ଦ ସିଂହ ସମ୍ମେଳନରେ ସଭାପତିତ୍ୱ ସହ ଫକୀରମୋହନଙ୍କ ‘ରେବତୀ’ ଗଳ୍ପ ନାରୀ ମନସ୍ତତ୍ୱର ପ୍ରଥମ ଉଦାହରଣ ବୋଲି ପ୍ରକାଶ କରିଥିଲେ । ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ କବି ବିମଳ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ମନସ୍ତତ୍ୱ ଉପରେ ଆଲୋକପାତ କରିଥିଲେ । ମୂଳ ଭାଷଣ ପ୍ରଦାନ କରି ବିଜୟିନୀ ସିଂହଦେଓ ସରଳା ଦେବୀ, ଅର୍ଚ୍ଚନା ନାୟକ, କବିତା ବାରିକ, ବୀଣାପାଣି ମହାନ୍ତି, ପ୍ରତିଭା ରାୟ ଓ ମନୋରମା ବିଶ୍ୱାଳ ମହାପାତ୍ର ଆଦି କବୀଙ୍କ ଲେଖାରେ ନାରୀ ମନସ୍ତତ୍ୱର ଚିରନ୍ତନ ରୂପରେ ରୂପାୟିତ ବୋଲି ଉଦାହରଣ ଦେଇଥିଲେ । ବାଲେଶ୍ୱରରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରସାହିତ୍ୟ ଅକାଡେମୀ ସହାୟତାରେ ଲେଖିକା ସମ୍ମେଳନ ଅନୁଷ୍ଠିତ ହୋଇଥିବାରୁ ‘ଯୁଗଶ୍ରୀ ଯୁଗନାରୀ’ପତ୍ରିକାର ସଂପାଦିକା ମମତା ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ର ଅଗଷ୍ଟ -୨୦୨୨ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ଓ ସହ-ସଂପାଦିକା ଡ. ପ୍ରଭାବତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିôଥବା ବେଳେ ଅମୃତାଂଶୁ ପଟ୍ଟନାୟକ ଓ ସାଥୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ସମ୍ମେଳନରେ ଚାରୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରବନ୍ଧ ପାଠ, କବିତା ପାଠ ଓ କ୍ଷୁଦ୍ରଗଳ୍ପ ପାଠ ଆଦି ଆୟୋଜିତ ହୋଇଥିଲା । ପ୍ରଥମ ଅଧିବେଶନରେ ଡ. ଶକୁନ୍ତଳା ବଳିୟାର ସିଂହ ସଭାପତିତ୍ୱ କରିଥିଲା ବେଳେ ଡ. ବିଷ୍ଣୁପ୍ରିୟା ଓତା, ଝରଣା ପଟ୍ଟନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର ପ୍ରବନ୍ଧ ପାଠ କରିଥିଲେ । ଡ. ମୀନାକ୍ଷୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ପ୍ରଭା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସୈରିନ୍ଧ୍ରୀ ସାହୁ, ସୁଚିତ୍ରା ପାଣିଗ୍ରାହୀ ଓ ଶୁଭଶ୍ରୀ ଲେଙ୍କା କବିତା ପାଠ କରିଥିଲେ ଓ ଗୀତାଞ୍ଜଳି ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ଅଧିବେଶନରେ ପୁଷ୍ପାଞ୍ଜଳି ନାୟକ ସଭାପତିତ୍ୱ କରିଥିବା ବେଳେ ବୈଜୟନ୍ତୀ ମିଶ୍ର, ଜୟନ୍ତୀ ରଥ ଓ ସିନ୍ଧୁ ସେନ ଗଳ୍ପ ପାଠ କରିଥିଲେ ଓ ସ୍ମୃତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷ ଚତୁର୍ଥ ଅଧିବେଶନରେ କବୀ ଦୀପ୍ତି ଦାସ ସଭାପତିତ୍ୱ କରିଥିଲା ବେଳେ ଅଞ୍ଜଳି ପଣ୍ଡା, ଚିତ୍ରାରାଣୀ ପାତ୍ର, ମନସ୍ୱିନୀ ଦେବୀ, ପ୍ରୀତିଲେଖା ଦାସ ସ୍ୱରଚିତ କବିତା ପାଠ କରିଥିଲେ ଓ କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।