ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ତିନିବର୍ଷ ଧରି ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାଲେଶ୍ୱରର ବହୁ କୃଷି ବୈଜ୍ଞାନିକ, କୃଷିବିତ୍, ବୁଦ୍ଧିଜୀବୀ ଓ କୃଷକ ସଂଗଠନମାନେ ଦାବି କରିଆସୁଛନ୍ତି । ଏଥିପାଇଁ ସମସ୍ତ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଏକ ସମିତି ଗଠିତ ହୋଇ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ନିମିତ୍ତ ଦାବି କରିଆସୁଛନ୍ତି । ବର୍ତ୍ତମାନ ରାଜ୍ୟରେ ଶାସନ କ୍ଷମତା ରାଜନୈତିକ ଦଳ ଗତ ସାଧାରଣ ନିର୍ବାଚନରେ ବାଲେଶ୍ୱରରେ କୃଷି ଓ କୃଷକର ସ୍ୱାର୍ଥପାଇଁ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ବାଲେଶ୍ୱର କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ପ୍ରତିଷ୍ଠା ସମିତି ପକ୍ଷରୁ ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ସମେତ ନିରଞ୍ଜନ ପରିଡ଼ା, ପ୍ରଫୁଲ୍ଲ କୁମାର ଦାସ, ମନୋଜ ବେହେରା ଓ ଭାସ୍କର ଚନ୍ଦ୍ର ପାଢ଼ି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।