ବାଲେଶ୍ୱରରେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ବାଲେଶ୍ୱର,: ସହରରେ ଦିନକୁ ଦିନ ନିଶା ଦ୍ରବ୍ୟର କାରବାର ବୃଦ୍ଧିକୁ ରୋକିବାରେ ପୋଲିସ ବିଫଳ ହେଉଥିବା ବେଳେ ଗତ ରାତ୍ରିରେ ଏକ ବ୍ରାଉନ ସୁଗାର କାରକୁ ଜବତ କରି ବଡ ସଫଳତା ହାସଲ କରିଛି । ୧୭ ତାରିଖ ପ୍ରାୟ ୧୦.୪୫ ମିନିଟ୍ ସମୟରେ ବାଲେଶ୍ୱର ରେଳ ଷ୍ଟେସନରୁ ଜଳେଶ୍ୱର ଅଭିମୁଖେ ଯାଉଥିବା ଓଡି ୦୧ ଡବ୍ଲ୍ୟୁ ୭୯୯୫ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଆଇ-୨୦ କାର ହରିପୁରର ଫୁଲାଡି ରୋଡରେ ପିସିଆର ମୋବାଇଲ ଭ୍ୟାନ୍କୁ ଦେଖି ଦ୍ରୁତଗତିରେ ପଳାଇଯାଉଥିବା ବେଳେ ପୋଲିସ୍ କାରକୁ ପିଛା କରି ଫୁଲାଡି ନିକଟରୁ ଜବତ କରିଛି । ଏହି କାର ମଧ୍ୟରୁ ୧ କିଲୋ ୬୫୫ ଗ୍ରାମ ଓଜନର ହେରୋଇନ ଜବତ କରାଯାଇଛି । ଏହା ସହିତ ୪ ଜଣ ଆସାମୀଙ୍କ ନିକଟରୁ ମୋଟ୍ ୬୪ ହଜାର ଟଙ୍କା ଏବଂ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି । କାରରେ ଅରଡ ବଜାର ମସ୍ଜିଦ୍ ଗଳିର ନିବାସୀ ଶେଖ୍ ଜାମସେଦ ଅଲ୍ଲୀ, ତାଙ୍କ ପୁଅ ଶେଖ୍ ରାଜୁ, ଶେଖ୍ ହୁସେନ୍ ଏବଂ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଶେଖ୍ ମହୀନଙ୍କ ପୁଅ ଶେଖ୍ ମୋକସେଦ ଉପସ୍ଥିତ ଥିବାରୁ ସେମାନଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ କହିଥିଲେ କି, ବାଲେଶ୍ୱରରୁ ଏହି ବିପୁଳ ପରିମାଣର ଉକ୍ରଟ ମାଦକ ଦ୍ରବ୍ୟ ଜଳେଶ୍ୱର ଚାଲାଣ ହେଉଥିଲା । ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଘଟଣାର ତଦନ୍ତ କରୁଛନ୍ତି । ଗତ ୧୭ ତାରିଖ ରାତିରେ ପୋଲିସ ଏ.ଏସ.ଆଇ ବିରଞ୍ôଚ ସାହୁ ଏବଂ ଇନ୍ସପେକ୍ଟର ନୀଳମଣି ନାୟକ ନିଜର ପୋଲିସ କର୍ମଚାରୀଙ୍କ ସହ ଫୁଲାଡି ରୋଡରେ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ବେଳେ ଉକ୍ତ ହୁଣ୍ଡାଇ କାର ପୋଲିସ୍ ଗାଡି ଦେଖି ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିବାରୁ ପୋଲିସ୍ କର୍ମଚାରୀମାନେ ସନ୍ଦେହ କରି ଗାଡିକୁ ପିଛା କରି ତାକୁ ଧରିବାରେ ସଫଳ ହୋଇଥିଲେ । ଜବତ ହୋଇଥିବା ହେରୋଇନର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୧ କୋଟି ୮୦ ଲକ୍ଷ ଟଙ୍କା ହେବାର ପୋଲିସ ସୂଚନା ଦେଇଛି । ପୋଲିସ ଉକ୍ତ ମାଦକ ଦ୍ରବ୍ୟ ମାଜିଷ୍ଟ୍ରେଟଙ୍କ ସମ୍ମ୍ୁଖରେ ଜବତ କରି ୧୬୫ ନଂ ଏତାଲା ମୂଳେ ୨୧ (ସି) ଏନଡିପିଇଏସ ଆଇନ ବଳରେ ୪ ଜଣ ଆସାମୀଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କୁ ରିଣାଣ୍ଡରେ ଆଣି ଅଧିକ ପଚରାଉଚୁରା କରୁଛି । ପୂର୍ବରୁ ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିଲା । ତେବେ ଏତେ ବିପୁଳ ପରିମାଣରେ ହେରୋଇନ୍ କେଉଁଠୁ ସେମାନେ ଆଣିଥିଲେ ଓ କାହାକୁ ବିକ୍ରି କରାଯାଇଥାନ୍ତା ସେ ସମ୍ପର୍କରେ ପଚରାଉଚୁରା କରାଯିବ ବୋଲି ଏସପି ବି.ଯୁଗଳ କିଶୋର ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ୨୦୧୭ ମସିହାରେ ପୋଲିସ ୧.୨ କେଜି ବ୍ରାଉନ ସୁଗାର ଜବତ କରିଥିଲା । ଏହି ଆସାମୀମାନେ ମାଛ ବ୍ୟବସାୟ ଆଳରେ ମାଦକ ଦ୍ରବ୍ୟର ବେପାର କରିଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ