ବାଲେଶ୍ୱରରେ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପୁଲିସ ପକ୍ଷରୁ ୬୦ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ମଙ୍ଗଳବାର ପାଳିତ ହୋଇଯାଇଛି । ଗୃହରକ୍ଷୀ ବାହିନୀର ସମାଦେଷ୍ଟା ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ସହ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠାର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ୧୯୬୨ ମସିହା ଭାରତ-ଚୀନ ଯୁଦ୍ଧରେ ଭାରତୀୟ ସେନା ବାହିନୀଙ୍କୁ ସହଯୋଗ କରିବା ସହିତ ଦେଶର ତତ୍କାଳୀନ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠାରେ ପୁଲିସ ସହ ସମନ୍ୱୟ ରକ୍ଷା ପୂର୍ବକ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା କରାଯାଇଥିଲା । ସେହିଦିନଠାରୁ ସମଗ୍ର ଦେଶରେ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଆସୁଛି । ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା, ରାତ୍ରୀକାଳୀନ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ ସହ ନିଷ୍କାମ ସେବା ପ୍ରଦାନ କରୁଥିବା ଗୃହରକ୍ଷୀ ବାହିନୀ ସଂପ୍ରତି ପୋଲିସ ବିଭାଗର ଏକ ଅବିଚ୍ଛେଦ ଅଂଗ ହୋଇଯାଇଥିବା ସେ କହିଥିଲେ । ବନ୍ୟା, ବାତ୍ୟା ପ୍ରଭୃତି ଜରୁରୀକାଳୀନ ପରିସ୍ଥିତିରେ ଗୃହରକ୍ଷୀଙ୍କ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟଧାରା ସେମାନଙ୍କୁ ଜନ ସାଧାରଣଙ୍କ ଠାରେ ଆସ୍ଥାଭାଜନ କରିପାରିଛି ବୋଲି ଏସପି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏସପି ଶ୍ରୀ ମିଶ୍ର ରାଷ୍ଟ୍ରପତି, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ହୋମଗାର୍ଡ଼ ମହାନିର୍ଦ୍ଦେଶକ, ପୁଲିସ ଡିଜି ଓ ପୂର୍ବାଞ୍ଚଳ ଆଇଜିଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ । ଏଥି ସହିତ ଗ୍ରାମରକ୍ଷୀଙ୍କ ଦ୍ୱାରା ପ୍ରଦର୍ଶିତ ସାମୂହିକ ପ୍ୟାରେଡ଼୍ ଅଭିବାଦନ ଗ୍ରହଣ କରିଥିଲେ । ଆସିଷ୍ଟାଂଟ କମାଣ୍ଡାଂଟ ଶତାୟୁ ଚରଣ ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ୟାରେଡ଼ ପରିଚାଳିତ ହୋଇଥିଲା ।ଏଡିସନାଲ ଏସପି ଅମରେଶ କୁମାର ପାଣିଗ୍ରାହୀ, ଅନୀଲ କୁମାର ପ୍ରଧାନ, ଡିଏସପି ଶଶାଙ୍କ ଶେଖର ବେହୁରା, ସିଟି ଡିଏସପି ଗାୟତ୍ରୀ ପ୍ରଧାନ, ଡିଆଇବି ଡିଏସପି ବ୍ରଜ ମୋହନ ପ୍ରଧାନ, ଡିଏସପି ମାନସ ଦେଓ, ଡିଏସପି ଆଲୋକ ରଞ୍ଜନ ରାୟ ପ୍ରମୁଖଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ । ଜିଲ୍ଲା ପୁଲିସର ବହୁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।