ବାଲେଶ୍ୱରରେ ଗଡ଼ିଲା ଭୋଟର ସଚେତନତା ରଥ
ବାଲେଶ୍ୱର, (ସରୋଜ ପଣ୍ଡା):ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗ ପାଇଁ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବାଲେଶ୍ୱରରେ ସୋମବାର ଭୋଟର ସଚେତନତା ରଥ ପରିକ୍ରମା ଶୁଭାରମ୍ଭ କରିଛି । ସ୍ଥାନୀୟ ସର୍କିଟ ହାଉସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଓ ବାଲେଶ୍ୱର ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ମିଳିତ ଭାବେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ପ୍ରତିଶତ କାର୍ଯ୍ୟକରତା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ସୂଚନା ଦେଇଥିଲେ । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗ କରିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଥିବା ସେ କହିଥିଲେ । ଅନେକ ଭୋଟରଙ୍କର ନାମ ଏକାଧିକ ସ୍ଥାନର ଭୋଟର ତାଲିକାରେ ଥିବାରୁ ଅନେକ ଭୋଟରଙ୍କର ନାମ ତାଲିକାରୁ ସଂପୂର୍ଣ୍ଣ ବାଦ ପଡ଼ୁଛି, ଯାହା ଦ୍ୱାରା ସେମାନେ ଭୋଟଦାନ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏହା ସଂପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ବାଧା ଉପୁଜାଉଛି । ଏହି ସମସ୍ୟାର ସମାଧାନ ସହ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ପାଇଁ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ କରିବାକୁ ଶ୍ରୀ ଲୋହାନି ପରାମର୍ଶ ଦେଇଛନ୍ତି । ଏନେଇ ଭୋଟରମାନେ ଭୋଟର ହେଲ୍ପଲାଇନ ଆପ ଡାଉନ୍ ଲୋଡ୍ କରି କିମ୍ବା ସ୍ଥାନୀୟ ବୁଥସ୍ତରୀୟ ଅଧିକାରୀଙ୍କ ଜରିଆରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ତିନି ମାସ ଧରି ଚାଲିବାକୁ ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଦୁଇଟି ରଥ ୧୨ଗୋଟି ବ୍ଲକ ପରିକ୍ରମା ସହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସଚେତନତା ସୃଷ୍ଟି କରିବ ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭୋଟର ରଥ ଉଦଘାଟନ କାର୍ଯ୍ୟକ୍ରମରେ ବାଲେଶ୍ୱର ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ସମେତ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।