ବାଲେଶ୍ୱରରେ ଜାତୀୟ ସଡ଼କ ସୁରକ୍ଷା ମାସ ଉଦ୍ଘାଟିତ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଆଂଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ,୨୦୨୧ର ଆଜି ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଯୋଗ ଦେଇ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ପତାକା ଦେଖାଇ ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ସମଗ୍ର ଜିଲ୍ଲା ପରିକ୍ରମା ସହ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ସମ୍ପର୍କିତ ବାର୍ତା ଲୋକଙ୍କ ପାଖରେ ପହଂଚାଇବ । ଟ୍ରାଫିକ ନିୟମ ମାନି ଗାଡ଼ି ଚାଳନା କରିବା ଏବଂ ଏ ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଗୁରୁତ୍ୱାରୋପ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଏମ. ଆର. ସାମଲ ଏଥିରେ ଯୋଗଦେଇ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ ହେବା ଦ୍ୱାରା ଚାଳକର ଜୀବନ ରକ୍ଷା ସହିତ ତାଙ୍କର ପରିବାର ବିପଦମୁକ୍ତ ରହିପାରିବ ବୋଲି କହିଥିଲେ । “ସଡକ ସୁରକ୍ଷା ଓ ଜୀବନ ରକ୍ଷା” ପ୍ରତି ସଚେତନ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମିରଞ୍ଜିତ ଦଳବେହେରା ଜାତୀୟ ସଡକ ସୁରକ୍ଷା ମାସ ପାଳନର ଆଭିମୁଖ୍ୟ ଓ ଆସନ୍ତା ସପ୍ତାହରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ ପାଳନ ସମ୍ପର୍କିତ ସଚେତନତା ବାର୍ତା ସମ୍ବଳିତ ବ୍ୟାନର, ପୋଷ୍ଟର, ହୋର୍ଡ଼ିଂ ଆଦି ଲାଗାଇବା, ପ୍ରଚାରପତ୍ର ବଂଟନ, ସଡ଼କ ସୁରକ୍ଷା ରଥ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର, ୱାକାଥନ, ସାଇକ୍ଲୋଥନ ଆଦିର ଆୟୋଜନ, ଗାଡ଼ି ଚାଳକଙ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର, ସଡକ ସୁରକ୍ଷା ସମ୍ପର୍କିତ କର୍ମଶାଳା, ହେଲମେଟ୍, ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ନିଶାସକ୍ତ ଡ୍ରାଇଭରଙ୍କୁ ଯାଂଚଞ୍ଚ ଆଦି କାର୍ଯ୍ୟକ୍ରମ ମାସବ୍ୟାପୀ ଅନୁଷ୍ଠିତ ହେବ ବୋଲି ଆର.ଟି.ଓ. ଶ୍ରୀ ଦଳବେହେରା କହିଛନ୍ତି । ସେହିପରି ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବାଲେଶ୍ୱର ପୋଲିସ ବିଭାଗ ପକ୍ଷରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଡିଏସପି ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଯାଂଚ ପ୍ରକ୍ରିୟା କରାଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମଭିଆଇ ଶ୍ରୀ ବିଶ୍ୱଜିତ ଦାସ, ଟ୍ରାଫିକ ଇନ୍ସପେକ୍ଟର ଶ୍ରୀ ସମରେନ୍ଦ୍ର ମହାପାତ୍ର, ଟ୍ରାଫିକ ଥାନା ଅଧିକାରିଣୀ ମୋନାଲିସା କର, ଜୁନିଅର ଏମଭିଆଇ ରଞ୍ଜିତା ମଲ୍ଲିକ, ପ୍ରଶାନ୍ତ ଦାସ, ଦେବାଶିଷ ମଲ୍ଲିକ ପ୍ରମୁଖଙ୍କ ସମେତ ବସ ସଂଘ, ଟ୍ରକ ସଂଘ ଓ ଡ୍ରାଇଭିଂ ଟ୍ରେନିଂ ସ୍କୁଲର କର୍ମକର୍ତା, କ୍ଲବ ତଥା ବିଭିନ୍ନ ସଂଗଠନର କର୍ମକର୍ତାମାନେ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।


