ବାଲେଶ୍ୱରରେ ଜାରି ରହିଛି ‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ଚୟନ ପ୍ରକ୍ରିୟା
ବାଲେଶ୍ୱର, (ସରୋଜ ପଣ୍ଡା) : ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଅଧୁନା ବାଲେଶ୍ୱର ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ପଡ଼ିଆଠାରେ ‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ଚୟନ ପ୍ରକ୍ରିୟା ଜାରି ରହିଛି I ଭାରତୀୟ ସେନା ବାହିନୀ, ସେନା ନିଯୁକ୍ତି କାର୍ଯ୍ୟାଳୟ, କଟକ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସୌଜନ୍ୟରେ ଅନୁଷ୍ଠିତ ହେଉଥିବା ଏହି ଚୟନ ପ୍ରକ୍ରିୟାରେ ଅନ୍ତର୍ଗତ ଶାରୀରିକ ଫିଟନେସ୍ ପରୀକ୍ଷା ଏବଂ ମେଡିକାଲ୍ ପରୀକ୍ଷା ଗତ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ I ଏହି ପ୍ରକ୍ରିୟାରେ କେନ୍ଦ୍ରାଞ୍ଚଳ ରାଜସ୍ବ ବିଭାଜନ, କଟକ ଅଧୀନରେ ଆସୁଥିବା ପୁରୀ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ନୟାଗଡ଼ ଜିଲ୍ଲାଗୁଡ଼ିକରୁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୫୦୦ ଯୁବପ୍ରତିଭାମାନେ ଯୋଗ ଦେଇଛନ୍ତି Iଏହି ପରିପ୍ରେକ୍ଷୀରେ ଆଜି ସକାଳ ଘ. ୫.୩୦ ଟା ସମୟରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ରିଜର୍ଭ ପୋଲିସ ପ୍ୟାରେଡ଼ ପଡ଼ିଆ ପରିଦର୍ଶନ କରି ଯୋଗ ଦେଇଥିବା ଯୁବକମାନଙ୍କୁ ଉତ୍ସାହିତ କରିଥିଲେ I ତତ୍ସହିତ ଅଂଶଗ୍ରହଣକାରୀଙ୍କ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପତାକା ଦେଖାଇ ଏକ ଦୌଡ଼ ସ୍ପର୍ଦ୍ଧା ଆରମ୍ଭ କରିଥିଲେ I ଏହି ଅବସରରେ ଭାରତୀୟ ସେନା ବାହିନୀର ମେଜର ଜେନେରାଲ, ବ୍ରିଗେଡିଅର୍, କୋଲୋନେଲ ଏବଂ ସେନା ନିଯୁକ୍ତି କାର୍ଯ୍ୟାଳୟ, କଟକର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ I ଏଠାରେ ପ୍ରକାଶ ଥାଉ କି, ଚୟନ ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚହ୍ୱାନଙ୍କ ତତ୍ତ୍ୱାବଧାନରେ ଏବଂ ନୋଡ଼ାଲ ଅଫିସର ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମିଶ୍ର ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ତଦାରଖ ଅଧୀନରେ ଅନେକ ଜିଲ୍ଲାସ୍ତରୀୟ ବିଭାଗ ଯଥା ବିଦ୍ୟୁତ, ଆର ଆଣ୍ଡ ବି (ଡିଭିଜନ- ୨), ଅଗ୍ନିଶମ, ପାନୀୟ ଜଳ, ଜନସ୍ୱାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ ଆଦି ନିରବଚ୍ଛିନ୍ନ ସେବା ଯୋଗାଇ ଦେଉଛନ୍ତି | ଉପରୋକ୍ତ ଚୟନ ପ୍ରକ୍ରିୟାରେ ବିଭିନ୍ନ ଜିଲ୍ଲାରୁ ଆସି ଯୋଗଦେବାକୁ ଥିବା ପ୍ରାର୍ଥୀମାନଙ୍କ ରାତ୍ରୀ ରହଣୀ ପାଇଁ ବାଲେଶ୍ବର ବସ୍ ଷ୍ଟାଣ୍ଡ ଭିତରେ ଥିବା ପ୍ରଥମ ମହଲା ସରକାରୀ କୋଠାରେ ଦେୟମୁକ୍ତ ରହଣୀର ବ୍ୟବସ୍ଥା କରାଯାଇଅଛି। ଏକ ଯୁବ ସୈନ୍ୟବଳ ସହ ସେନାବାହିନୀକୁ ସଶକ୍ତ କରିବା ଲାଗି ଅଗ୍ନିପଥ ଯୋଜନାର ପରିକଳ୍ପନା ଏବଂ ପ୍ରସ୍ତୁତି କରାଯାଇଛି । ବାହ୍ୟ ବିପଦ, ଆଭ୍ୟନ୍ତରୀଣ ବିପଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜାତୀୟ ସୁରକ୍ଷା ବଢ଼ାଇବା ପାଇଁ ପ୍ରଶିକ୍ଷିତ କର୍ମୀମାନଙ୍କ ଉପଲବ୍ଧତା ବଢ଼ିବ ।