ବାଲେଶ୍ୱରରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବଲେଶ୍ୱର ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୧ ସ୍ଥାନୀୟ ସଦଭାବନା ସଭାଗୃହରେ ମଙ୍ଗଳବାର ପାଳିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ ସହ ଚଳିତ ବର୍ଷର ପ୍ରସଙ୍ଗ“ମହାମାରୀ ସମୟରେ ଗଣମାଧ୍ୟମ:ଏକ ନୂତନ ଆହ୍ୱାନ” ସମ୍ପର୍କରେ ଆଲୋଚନା କରିଥିଲେ । କରୋନା ମହାମାରୀ ସମୟରେ ଗଣମାଧ୍ୟମର ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସାଙ୍ଗକୁ ପ୍ରତି କ୍ଷେତ୍ରରେ ପ୍ରଶାସନକୁ ସହଯୋଗର ହାତ ବଢାଇ ଚାଲିଥିବା ବାଲେଶ୍ୱରର ସାମ୍ବାଦିକମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ । ଗଣମାଧ୍ୟମର ଖବର ପ୍ରସାରଣ ଓ ସମାଲୋଚନାକୁ ସବୁବେଳେ ସକରାତ୍ମକ ଭାବେ ଗ୍ରହଣ କରି ଆବଶ୍ୟକତା ଅନୁଯାୟୀ ଜିଲା ପ୍ରଶାସନ ପଦକ୍ଷେପ ନେଇଥିବା ସେ ପ୍ରକାଶ କରିଥିଲେ । ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସଙ୍ଗୀତା ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମହାମାରୀ ସମୟରେ ଗଣମାଧ୍ୟମ ଆଗରେ ଯେଉଁ ସବୁ ନୂତନ ଆହ୍ୱାନ ଦେଖାଦେଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁଭଳି ଭାବେ ଜନସାଧାରଣଙ୍କୁ ସୂଚନା ପ୍ରଦାନ ସହ ସଚେତନ କରିଥିଲେ ସେଥି ପାଇଁ ଅନେକ ଜୀବନ ରକ୍ଷା ହୋଇପାରିଥିବା ସେ ମତବ୍ୟକ୍ତ କରିଥିଲେ । ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ଉଚିତ ସହଯୋଗ ଯୋଗୁଁ ଜିଲା ପ୍ରଶାସନ ବହୁ କ୍ଷେତ୍ରରେ ସଠିକ ପଦକ୍ଷେପ ନେଇ ପାରିଥିବା ପ୍ରକାଶ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ବିପ୍ଳବ କୁମାର ମହାନ୍ତି, ଦେବବ୍ରତ ପାଣିଗ୍ରାହୀ, ବ୍ରହ୍ମାନନ୍ଦ ସ୍ୱାଇଁ, ଅଭୟ ଦାସ, ଶିବାଦସ କୁଣ୍ଡୁ, ସତ୍ୟପ୍ରିୟ ମହାନ୍ତି, ବ୍ରହ୍ନନାଥ ରଥ ପ୍ରମୁଖ ମହାମାରୀ ସମୟରେ ଖବର ପରିବେଷଣ ସମୟରେ ସାମ୍ବାଦିକମାନେ ସାମ୍ନା କରିଥିବା ବିଭିନ୍ନ ଆହ୍ୱାନ ଓ ସମସ୍ୟ ତଥା ଦାୟିତ୍ୱବୋଧତା ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ । ଜିଲା ସୂଚନା ଓ ଲୋକମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରାରମ୍ଭରେ ସିମୁଳିଆ ବ୍ଲକର ଦିବଂଗତ ସାମ୍ବାଦିକ ସ୍ୱର୍ଗତ ହରିଶ ଚନ୍ଦ୍ର ସ’ଙ୍କ ସମେତ ରାଜ୍ୟ ତଥା ଦେଶର ପ୍ରାଣ ହରାଇଥିବା ଅନ୍ୟାନ୍ୟ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ତଥା ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ