ବାଲେଶ୍ୱରରେ ଜିଲାସ୍ତରୀୟ ବିପର୍ଯ୍ୟୟ ହ୍ରାସ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଶନିବାର ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ସକାଳେ ବିଦ୍ୟାଳୟ ଛାତ୍ର-ଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ପତକା ଦେଖାଇ ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଗାନ୍ଧୀସ୍ମୃତି ଭବନଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ୧୯୯୯ ମସିହା ମହାବାତ୍ୟାର କରାଳ ରୂପ ତଥା ଧନଜୀବନକୁ ମନେ ପକାଇଥିଲେ । ତେବେ ସମ୍ପ୍ରତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ବେଳେ ନିଜକୁ ନିଜେ ସୁରକ୍ଷିତ ରଖିବାର କୌଶଳ ଜାଣିବା ଓ ଅନ୍ୟକୁ ଉଦ୍ଧାର କରିବା ମାନସିକତା ସୃଷ୍ଟି ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳ ଶ୍ରୀ ଶିନ୍ଦେ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ପରିଷଦ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଂଜନ କୁମାର ନାୟକ ପ୍ରମୁଖ ଏଥିରେ ଯୋଗଦେଇ ଆଜିର ଦିବସ ପାଳନର ତତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କ ସମେତ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ଓ ଉଦ୍ଧାରକାରୀ ଦଳଙ୍କୁ ଏହି ସଭାରେ ପୁରସ୍କୃତ କରାଯାଇଥିଲା ।ଏଥି ସହିତ ସଠିକ ପରିଚାଳନା ପାଇଁ ପାଖରସାଉଁ ବାତ୍ୟାଶ୍ରୟ ସ୍ଥଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଜିଲା ଜରୁରୀକାଳୀନ ଅଧିକାରିଣୀ ରିଜୱାନା କବକଅବ କାର୍ଯ୍ୟକମରେ ସଂଯୋଜନା କରିଥିବା ବେଳେ ୟୁନସେଫର ଜିଲା ସଂଯୋଜକ ପ୍ରଦୀପ କୁମାର ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ବିପର୍ଯ୍ୟୟ ପରିଚାଳନା ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଯାନ୍ତ୍ରିକ ଉପକରଣ ସମ୍ବଳିତ ପ୍ରଦର୍ଶନୀ ଏହି ଅବସରରେ ଆୟୋଜିତ ହୋଇଥିଲା ।