ବାଲେଶ୍ୱରରେ ଜିଲାସ୍ତରୀୟ ବିଶ୍ୱ ଏଡସ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ଏଡସ ପ୍ରତିଷେଧକ ଓ ନିୟନ୍ତ୍ରଣ ୟୁନିଟ ଆନୁକୂଲ୍ୟରେ ଜିଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ ଗୁରୁବାର ପାଳିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଜନସ୍ୱାସ୍ଥ୍ୟ ତଥା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ ଏଥିରେ ଅଧ୍ୟକ୍ଷତା କରିବା ସହ ଏଡସର ପ୍ରତିଷେଧକ ଓ ଚଳିତ ବର୍ଷର ବାର୍ତ୍ତା “ସମାନତା” ସମ୍ପର୍କରେ ସୂଚନା ଦେଇଥିଲେ । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଭୟାବହତା ଏବଂ ଚଳିତ ବର୍ଷର ବାର୍ତ୍ତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସମାଜରେ ଏଡସ ରୋଗୀଙ୍କ ପ୍ରତି ଯେମିତି କେହି ଅସୂୟା ଭାବ ପ୍ରଦର୍ଶନ ନ କରନ୍ତି ଓ ସମସ୍ତଙ୍କୁ ଉଚିତ ଚିକିତ୍ସା ପ୍ରଦାନ ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଥିଲେ । କୌଣସି ଭେଦଭାବ ବିନା ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ଭଳି ସାମୂହିକ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବାକୁ ଜିଲାପାଳ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲା ପ୍ରକଳ୍ପ ଅଧିକାରୀ ଅନୀଲ କୁମାର ମହାନ୍ତି ପ୍ରମୁଖ ଏଡସ୍ ରୋଗର ଚିକିତ୍ସା, ପ୍ରତିଷେଧକ ବ୍ୟବସ୍ଥା ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ ଜିଲ୍ଲା ନୋଡାଲ୍ ଅଧିକାରୀ ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ ପ୍ରାରମ୍ଭିକ ସୂଚନା ଜିଲ୍ଲାରେ ଏଡସ୍ ରୋଗୀଙ୍କ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।୨୦୦୩ ମସିହାରୁ ୨୦୨୨ ଅକ୍ଟୋବର ମାସ ଶେଷ ସୁଦ୍ଧା ବାଲେଶ୍ୱର ଜିଲାରେ ଚିହ୍ନଟ ୧୯୧୦ଏଚଆଇଭି ପଜିଟିଭଙ୍କ ମଧ୍ୟରୁ ୧୨୭ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ ଅଛନ୍ତି । ଇତି ମଧ୍ୟରେ ମୋଟ ୪୨୫ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଥିଲେ । ପୂର୍ବରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଏଥିରେ ପୁରସ୍କୃତ କରିଥିଲେ । ଏହି ଅବସରରେ ଏଡସ ସଚେତନତା ବାର୍ତ୍ତା ଆଧାରିତ ରଙ୍ଗୋଲୀ ପ୍ରତିଯୋଗିତା ଏବଂ ସିଡବ୍ଲ୍ୟୁଏସଡି ଷ୍ଟାଫମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ କକ୍ଷ ଡିପିଏମ ରଶ୍ମିତା ମହାନ୍ତି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବରିଷ୍ଠ ମେଡିକାଲ ଅଫିସର ଅନୁପ କୁମାର ଘୋଷ ଶେଷରେ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।