ବାଲେଶ୍ୱରରେ ଜିଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରାଣୀଧନ ଭିତ୍ତିକ ବ୍ୟବସାୟକୁ ପ୍ରୋତ୍ସାହନ ଦେବାରେ ପ୍ରାଣୀ ଚିକିତ୍ସାଳୟର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଏନେଇ ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗ ସହ ସମନ୍ୱୟ ରଖି ଉଦ୍ୟୋଗୀମାନେ ବ୍ୟବସାୟକୁ ଆଗକୁ ନେବା ପାଇଁ ଜିଲାପାଳ ଶ୍ରୀ ଶିନ୍ଦେ ଆହ୍ୱାନ ଦେଇଥିଲେ । ଜିଲ୍ଲା ପ୍ରାଣୀଧନ ଚିକିତ୍ସା ବିଭାଗ ଉପ-ନିର୍ଦ୍ଦେଶକ ଡାକ୍ତର ସଦାଶିବ ମହାପାତ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାଣୀଧନଙ୍କୁ ରୋଗମୁକ୍ତ ରଖିବାରେ ପ୍ରାଣୀ ଚିକିତ୍ସକଙ୍କ ସମେତ ସହଯୋଗୀ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱବୋଧତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବାଲେଶ୍ୱର ଲିଡ ବ୍ୟାଙ୍କ ମ୍ୟାନେଜର ବିଶ୍ୱଜିତ ଶତପଥୀ ଓ ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶିବ ଚରଣ ଜେଠୀ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବନମାଳି ସାହୁ ଏଥିରେ ସଭାପତିତ୍ୱ କରିବା ସହିତ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲ । ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରଞ୍ଜନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡାକ୍ତର ଅଜିତ କୁମାର ସାମଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବାଲେଶ୍ୱର ଜିଲାର ଏକାଧିକ ଗୋ-ସେବା କେନ୍ଦ୍ରଙ୍କୁ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ରିଆତି ପ୍ରଦାନ କରାଯାଇଥିଲା । ଏହା ସହିତ ଉଲେଖନୀୟ ସେବା ପ୍ରଦାନ ପାଇଁ ଶ୍ରେଷ୍ଠ ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ସହାକାରୀ ଶଲ୍ୟ ଚିକିତ୍ସକ ଓ ପ୍ରାଣୀଧନ ନୀରିକ୍ଷକଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିବର୍ଷ ଏପ୍ରିଲ ମାସ ଶେଷ ଶନିବାର ବିଶ୍ୱ ପ୍ରାଣୀଧନ ଚିକିତ୍ସା ଦିବସ ପାଳିତ ହୋଇଥାଏ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


