ବାଲେଶ୍ୱରରେ ନାରାବାଜିରେ ଚାଲିଛି ବିକାଶ: ବିଜେପି
ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତାଙ୍କର ‘ବାଲେଶ୍ୱରର ଦାୟିତ୍ୱ’କୁ ମନେପକାଇଛି ବିଜେପି । ପ୍ରତିଶ୍ରୁତି ପାଳନ ନାମରେ ରାଜ୍ୟ ସରକାର ନାରାବାଜି ମଧ୍ୟରେ ବିକାଶର ସ୍ୱପ୍ନ ଦେଖାଇଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତ । ଦୀର୍ଘ ୨୩ବର୍ଷ ଶାସନରେ ଜିଲ୍ଲାର କୌଣସି ନୂତନ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇନଥିବା ବେଳେ ବିର୍ଲା ଟାୟାର୍ସ ଭଳି ବୃହତ ଶିଳ୍ୱାନୁଷ୍ଠାନ ବନ୍ଦ ଯୋଗୁଁ ୭୦୦୦ରୁ ଉର୍ଦ୍ଧ୍ୱ ପରିବାର ବେରୋଜଗାର ହୋଇଥିବା ସେ କହିଛନ୍ତି ।ଏ ବାବଦରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଶ୍ରୀ ଦତ୍ତ ଆରୋପ କରିଛନ୍ତି । ସେହିଭଳି ସରକାରୀ ଅବହେଳା ଓ ତୃଟିପୂର୍ଣ୍ଣ ମଣ୍ଡି ପରିଚାଳନା, ଶୀତଳଭଣ୍ଡାର ଅଭାବରୁ ଅମଳ ପନିପରିବା ନଷ୍ଟ, ସାଢେ ସାତ କୋଟି ଟଙ୍କାର ସିଟି ବସ ଖତ ଖାଇବା, ରିଂ ରୋଡ ପ୍ରକଳ୍ପ ଉଭାନ, ଗଣେଶ୍ୱରପୁରରେ ନୂତନ ବସଷ୍ଟାଣ୍ଡ ପ୍ରକଳ୍ପକୁ ବ୍ୟବସାୟିକ ପ୍ରତିଷ୍ଠାନକୁ ପରିବର୍ତ୍ତନ ଉଦ୍ୟମ, ଚିଟଫଣ୍ଡରେ ସର୍ବାଧିକ ଠକେଇ ଶିକାର ଜମାକାରୀଙ୍କୁ ଅର୍ଥ ଫେରସ୍ତ ନଦେବା କେଉଁ ବିକାଶର ପରିଚାୟକ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଶୋଭାରାମପୁର ରେଳ ଓଭରବ୍ରିଜ ଉଦଘାଟନ ପାଇଁ ତତ୍ପରତା ପରିଲକ୍ଷିତ ହୋଇଥିବା ବେଳେ ଏହି ପ୍ରକଳ୍ପର ଭାଗୀଦାରୀ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରା ନଯିବା କେଉଁ ସୌଜନ୍ୟତାର ନିଦର୍ଶନ ବୋଲି ଶ୍ରୀ ଦତ୍ତ କହିଛନ୍ତି । ବାଲେଶ୍ୱର ସହର ସମେତ ଜିଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ ଏମିତିକି ପ୍ରତିଟି କ୍ଷେତ୍ରରେ ବିପର୍ଯ୍ୟସ୍ତ ସ୍ଥିତି ପରିଲକ୍ଷିତ ହୋଇଥିବା ବେଳେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଚାଲିଛନ୍ତି । ବିକାଶ ନାମରେ ନାରାବାଜିକୁ ବାଲେଶ୍ୱରବାସୀ ଗ୍ରହଣ କରିବା ପରିବର୍ତ୍ତେ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ବିଜେପି କର୍ମକର୍ତ୍ତାମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ବିଜେପି ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ ଓ ଉପେନ୍ଦ୍ର ଶତପଥୀ, ପ୍ରବୀର ଶଙ୍କର ଦାଶ, କାଉନସିଲର ନିତ୍ୟଗୋପାଲ ସିଂ, ଭାରତୀ ପାତ୍ର ଓ ସସ୍ମିତା ନାଥ, ବିବେକ ମହାନ୍ତି, ବିକାଶ ପାଢୀ, ମାନସ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ମାୟାଧର ପ୍ରଧାନ, ପବନ କମିଳା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।