ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ସକାଳ ଘ୯.୧୫ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ଦବୋଧନ ଦେଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବାଲେଶ୍ୱର ଜିଲ୍ଲାର ଅବଦାନ ଉପରେ ଆଲୋକପାତ କରି ଇଂଚୁଡି ଲୁଣମରା ଆନ୍ଦୋଳନ, ତୁଡିଗଡିଆ ଆନ୍ଦୋଳନ, ବାଘା ଯତୀନ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ। ସେହିପରି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ସ୍ୱତନ୍ତ୍ର ଭାଷାଭିତିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟ ପ୍ରମୁଖଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ବାଲେଶ୍ୱର ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଏବଂ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମାନ୍ୟବର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମାନ୍ୟବର ବିଧାୟକ (ସଦର) ଶ୍ରୀ ମାନସ ଦତ୍ତ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସାଗରିକା ନାଥ, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ପୋଲିସ କଂଟିଜେଣ୍ଟ, ଗୋଟିଏ ପୋଲିସ ବ୍ୟାଣ୍ଡ, ଏନ.ସି.ସି ଓ ସିଭିଲିଆନ ଦଳ ମିଶାଇ ମୋଟ ୪୭ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ । ରିଜର୍ଭ ଇନସପେକ୍ଟର ଶ୍ରୀ ସବେଇ ଶଙ୍କର ଟୁଡୁ ମାର୍ଚ୍ଚ ପାଷ୍ଟର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ଜନାର୍ଦ୍ଧନ ନାୟକ । ଜିଲ୍ଲାସ୍ତରୀୟ ସମାରୋହ ଅବସରରେ ବିଭିନ୍ନ ବର୍ଗର ୯ ଜଣ ଯଥା ୪ ଜଣ ସମାଜସେବୀ, ୨ ଜଣ ବରିଷ୍ଠ ସାମ୍ବାଦିକ, ୩ ଜଣ ସଫଳ ଏନ.ସି.ସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ଏନ.ସି.ସି, ସ୍କାଉଟ ଗାଇଡ଼ ଏବଂ ସିଭିଲିଆନ ଦଳମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟ୍ରୁପମାନଙ୍କୁ ଶିଲ୍ଡ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ମନ୍ତ୍ରୀ ପ୍ୟାରେଡ଼ ପଡ଼ିଆରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳୀୟ ବନ ଅଧିକାରୀ ଶ୍ରୀ ଖୁସୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା, ଆଇ.ଏ.ଏସ ପ୍ରୋବେସନର ଶ୍ରୀ ଦୁଧାଲ ଅଭିଷେକ ଦିଲୀପଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ସ୍ୱାଧୀନତା ଦିବସ ଅବସରରେ ରୋଗୀ କଲ୍ୟାଣ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ର ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅନୁରୂପ ଭାବେ ରୋଟାରୀ କ୍ଲବ ବାଲେଶ୍ୱର ତରଫରୁ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଆୟୋଜନ ହୋଇଥିଲା ଓ ଟିପିଏନଓଡିଏଲ ବାଲେଶ୍ୱର ସର୍କଲ ଆନୁକୂଲ୍ୟରେ ହ୍ୟାଣ୍ଡିକେପଡ ୱେଲଫେୟାର ଇନଷ୍ଟିଚୁ୍ୟଟରେ ଫଳ ଓ କେକ୍ ବଣ୍ଟନ କରାଯାଇଥିଲା । ଲାୟନ୍ସ କ୍ଲବ, ବାଲେଶ୍ୱର ପକ୍ଷରୁ ଜିଲ୍ଲା କାରାଗାରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବାଲେଶ୍ୱର ପୌରପାଳିକା ତରଫରୁ ଉତ୍କଳ ବାଳାଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ବାଲେଶ୍ୱର ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ପୌରାଞ୍ଚଳ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ନ ଘ୩ଟା ରେ ପରମିଟ ପଡ଼ିଆ ଠାରେ ସାମ୍ବାଦିକ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୁର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନ ଘ.୪ଟା ସମୟରେ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ବିଭିନ୍ନ ମହିଳା ଅଧିକାରିଣୀ, ସାମ୍ବାଦିକା, ସମାଜସେବିକାମାନଙ୍କୁ ନେଇ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା । ସନ୍ଧ୍ୟା ଘ. ୬ ଘଟିକା ସମୟରେ ଗାନ୍ଧୀସ୍ମୃତି ଭବନ ଠାରେ ସ୍କୁଲ ଓ କଲେଜ ସ୍ତରର ବିଭିନ୍ନ ପ୍ରତିଯୋଗିତାର କୄତ୍ତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ସହ ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତାର ବିଜୟିନୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ଏଥି ସହିତ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଅଧିକାର ଆଇନ ୨୦୦୭ ଆଧାରରେ ନୀଳଗିରି ଓ ଔପଦା ବ୍ଲକର ମୋଟା ୧୨ ଜଣଙ୍କୁ ଗୋଷ୍ଠିଗତ ତଥା ବ୍ୟକ୍ତିଗତ ଶିରୋନାମା ପ୍ରଦାନ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଦ୍ୟୁତଳତା ମହାପାତ୍ର ଯୋଗଦାନ କରିଥିଲେ । ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ।
କାର୍ଯ୍ୟକ୍ରମ ପରିଚାଳନାରେ ପୁରୁଷୋତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତ୍ତିକ ବେହେରା, ମାଳତୀ କିସ୍କୁ, ସୁଚିସ୍ମିତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ