ବାଲେଶ୍ୱରରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା): ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ‘ବିଶ୍ୱହିନ୍ଦୁ ପରିଷଦ’ର ୮୮ତମ ପ୍ରତିଷ୍ଠା ଦିବସ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ କୋଭିଡ କଟକଣା ମଧ୍ୟରେ ସହରର କୁଇନ କଲ୍ୟାଣ ମଣ୍ଡପ ପରିସରରେ ସୋମବାର ପାଳିତ ହୋଇଯାଇଛି । ଏଥିରେ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଯଜ୍ଞ ଓ ଭଜନ କୀର୍ତ୍ତନ ସାଙ୍ଗକୁ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟଧାରା ଓ ଆଭିମୁଖ୍ୟ ସମ୍ପର୍କିତ ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା । ହିନ୍ଦୁ ସମାଜକୁ ସଂଗଠିତ ଓ ସଂସ୍କାରିତ କରିବା ପାଇଁ ଅଭିଯାନ ଚଳାଇ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ପରିଷଦର କର୍ମକର୍ତ୍ତା ଓ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବୃହତର ହିନ୍ଦୁ ସମାଜ ଓ ସଂସ୍କୃତି ତଥା ଦେଶର ଅଖଣ୍ଡତା ପ୍ରତି ବଢ଼ୁଥିବା ବିପଦ, ସାରା ବିଶ୍ୱର ହିନ୍ଦୁ ସମାଜର କଲ୍ୟାଣ ପାଇଁ ଏଭଳି ସଂଗଠନର ଆବଶ୍ୟକତାକୁ ଉପଲବ୍ଧି କରି ‘ବିଶ୍ୱହିନ୍ଦୁ ପରିଷଦ’ ଗଠିତ ହୋଇଥିଲା ବୋଲି କର୍ମକର୍ତ୍ତାମାନେ କହିଥିଲେ । କୁସଂସ୍କାର, ଜାତି ପ୍ରଥା, ଅନ୍ଧ ବିଶ୍ୱାସ ପ୍ରଭୃତି ଦୁର୍ବଳତାରୁ ଦୂରେଇ ହିନ୍ଦୁମାନଙ୍କ ମଧ୍ୟରେ ଏକତାର ଭାବ ଜାଗରଣ ସହିତ ବିବିଧ ସେବା କାମ ଜରିଆରେ ଏହି ସଂଗଠନ ସମ୍ପ୍ରତି ସବୁଠି ଆଦୃତ ହୋଇପାରିଥିବା ସେମାନେ ପ୍ରକାଶ କରିଥିଲେ । ବିଶ୍ୱହିନ୍ଦୁ ପରିଷଦର ଜିଲା ସମ୍ପାଦକ ସଞ୍ଜୟ ମହାପାତ୍ର, ଜନ୍ମାଷ୍ଟମୀ କମିଟିର ଅଧ୍ୟକ୍ଷ ତୁଷାରକାନ୍ତି ପଣ୍ଡା, ଜନ୍ମାଷ୍ଟମୀ ସମ୍ପାଦକ ଉମେଶ ଖଣ୍ଡେଲୱାଲ, ଜିଲା ସେବା ପ୍ରମୁଖ ରଜନୀକାନ୍ତ ଶତପଥୀ, ଜିଲା ସତସଙ୍ଗ ପ୍ରମୁଖ ବଳଭଦ୍ର ଶତପଥୀ, ପରିଷଦର ବରିଷ୍ଠ ପଦାଧିକାରୀ ଗୌରୀ ପ୍ରସାଦ ରଥ, ଭଗବାନ ଖଣ୍ଡେଲୱାଲ, ସୁଧାକର ପାଢ଼ୀ, ହେମଲତା ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ସଦସ୍ୟ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ହିନ୍ଦୁ ନବବର୍ଷ ଅବସରରେ ଭର୍ଚୁୁଆଲ ମୋଡ଼ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ