ବାଲେଶ୍ୱରରେ ମୂଲ୍ୟହୀନ ୫-ଟି ଓ ମୋ ସରକାର! , ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ‘ଆରଡବ୍ଲ୍ୟୁଏସଏସ’ରେ ନିଯୁକ୍ତିରୁ ଅସନ୍ତୋଷ
ବାଲେଶ୍ୱର, (ସରୋଜ ପଣ୍ଡା): ଶାସନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଓ ମୋ’ସରକାର କାର୍ଯ୍ୟକ୍ରମ ଜାରି ରହିଥିଲେ ବି ଜିଲାସ୍ତରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଲୋକଙ୍କୁ ଉଚିତ ସେବା ମିଳୁନଥିବା ଅଭିଯୋଗ ହେଉଛି । ତେବେ ଅନ୍ୟାନ୍ୟ ଜିଲା ତୁଳନାରେ ବାଲେଶ୍ୱରର ବିଭିନ୍ନ ବିଭାଗରେ ଦୁର୍ନୀତିର ମାତ୍ରା ସର୍ବାଧିକ ପ୍ରମାଣିତ ହୋଇଛି । ଜିଲାପାଳ ଭାବେ କେ ସୁଦର୍ଶନ ଚକ୍ରବର୍ତ୍ତୀ ଜିଲାର ଦାୟିତ୍ୱ ନେବା ସହ ତାଙ୍କର କାର୍ଯ୍ୟଧାରାକୁ ନେଇ ପ୍ରଶାସନିକ ସ୍ତରରେ କିଛିଟା ସଂସ୍କାର ଆସିବା ନେଇ ଲୋକେ ବେଶ ଆଶାବାଦୀ ଥିଲେ । ମାତ୍ର ସେ ଆଶା ଏବେ ମଉଳିବାକୁ ବସିଛି । ବିଭିନ୍ନ ବିଭାଗର ଗୋଟିଏ ଗୋଟିଏ ସିଟରେ ଦୀର୍ଘଦିନ ଧରି ରହିଆସିଥିବା ଅଧିକାରୀ ଓ କର୍ମଚାରୀଙ୍କ ଜନଶୋଷଣ ନୀତି କ୍ରମଶଃ ଅସହ୍ୟ ହୋଇ ଉଠିଛି । ସବୁଠାରୁ ବଡ଼କଥା ହେଲା ବିଭିନ୍ନ ବିଭାଗରୁ ଅନ୍ୟତ୍ର ବଦଳି ହୋଇଥିବା କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ପଦୋନ୍ନତି ପାଇ ଏବେ ପୁଣି ସଦର ମହକୁମାର ଫେରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ କ୍ଷେତ୍ରରେ ଜନସ୍ୱାସ୍ଥ୍ୟ ବିଭାଗ ଉପଖଣ୍ଡ ଅଧିକାରୀ ପଦବୀରୁ ପଦୋନ୍ନତି ପାଇ ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦାନ କରିଥିବା ଦୁର୍ନୀତିଗ୍ରସ୍ତ ସମୀର କୁମାର ଦେଙ୍କ ନାମ ସର୍ବାଗ୍ରେ ଅଛି । ପିଏଚଡିରେ ଏସଡିଓ ଥାଇ ବିଭାଗର ସମସ୍ତ କାର୍ଯ୍ୟକୁ ଛାୟା ଠିକାଦାର ଭାବେ ସମ୍ପାଦନ କରିବା ଘଟଣା ପ୍ରଶାସନର ନଜରକୁ ଆସିବା ପରେ ତାଙ୍କୁ ଅନ୍ୟ ଜିଲାକୁ ବଦଳି କରାଯାଇଥିଲା । ମାତ୍ର ନୀଳଗିରି ବିଧାୟକଙ୍କ ସହଯୋଗ କ୍ରମେ ଜିଲା ବାହାରକୁ ଯିବା ପରିବର୍ତ୍ତେ ସେ ସୋର ସବ-ଡିଭିଜନରେ ଥଇଥାନ ହୋଇ ଯାଇଥିଲେ । ସେଠାରେ ମଧ୍ୟ ସେ ନିଜର ପୁରୁଣା ଢାଞ୍ଚାରେ କାର୍ଯ୍ୟକରି ନିଜେ ଖାଇବା ସହ ତଳଠାରୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇନେଇ ଖୁସୀ କରାଇ ଚାଲିଥିଲେ । ଏବେ ପୁଣି ତାଙ୍କୁ ଆରଡବ୍ଲ୍ୟୁଏସଏସ ବିଭାଗର ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ଦିଆଯାଇଛି । ସେ ଏଠାରେ ନିର୍ବହୀ ଅଧିକାରୀ ଭାବେ ରହିଲେ ଆଗାମୀ ଦିନରେ ବାଲେଶ୍ୱର ଜିଲାର ଗ୍ରାମାଞ୍ଚଳର ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା କେଉଁଠି ପହଞ୍ଚିôବ, ତାହା ଅନୁମାନ କରାଯାଇ ପାରେ । ଠାକୁର ଖାଇ ଖଟୁଲି ଖାଇ ଯାଉଥିବା ବ୍ୟକ୍ତିକୁ ଯଦି ଭଣ୍ଡାର ଘର ଚାବି ଦିଆଯାଏ, ତାହାଲେ ଜିଲାର ଗ୍ରାମାଞ୍ଚଳ ପାଇପ ପାଣି ବ୍ୟବସ୍ଥା, ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ କେବଳ ରେକର୍ଡ଼ ପତ୍ରରେ ହେବ ବୋଲି ବିଭିନ୍ନ ମହଲରୁ ଆଶଙ୍କା ପ୍ରକାଶ ପାଇଛି । ପିଏଚଡି ଏସଡିଓ କାର୍ଯ୍ୟକାଳ ସମୟରେ ଛାୟା ଠିକାଦାର ଭାବେ ବିନାକାର୍ଯ୍ୟ ଓ ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଶ୍ରୀ ଦେଙ୍କ ଭଳି ଅଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି ପାଇଁ ବୁଦ୍ଧଜୀବୀ ମହଲରୁ ଦାବି ହୋଇଛି । ଭିଜିଲାନ୍ସ ଦ୍ୱାରା ତାଙ୍କର କାସିମାବାଦରେ ଥିବା ଭବ୍ୟ ଅଟାଳିକା, ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ବହୁ ମୂଲ୍ୟର ଏକାଧିକ ଜମି ପ୍ଲଟ ଓ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ଯାଞ୍ଚ ପାଇଁ ଜିଲାପାଳଙ୍କୁ ନିବେଦନ କରାଯାଇଛି ।