ବାଲେଶ୍ୱରରେ ରାଷ୍ଟ୍ରୀୟ ପୋଷଣ ମାସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ୫ମ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମଳନୀ କକ୍ଷରେ ଶୁକ୍ରବାର ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ସଦର ବିଧାୟକ ସ୍ୱରୂପ କୁମାର ଦାସ ଉଦଘାଟନ କରିବା ସହିତ ପୋଷଣ ମାସ କେବଳ ଦିନକରେ ସିମୀତ ନ ରହି ଏ ସମ୍ପର୍କରେ ମହିଳାଙ୍କୁ ସଚେତନତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ପୁଷ୍ଟିକର ଖାଦ୍ୟ ବାବଦରେ ଗର୍ଭବତୀ ମହିଳାଙ୍କୁ ସଚେତନ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶାକର୍ମୀଙ୍କୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ପରଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ଶିଶୁ ବିଶେଷଜ୍ଞ ଡାକ୍ତର ମୀନାକ୍ଷୀ ରାୟ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ସରକାରଙ୍କ ପୋଷଣ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗୋପାଲ ଚନ୍ଦ୍ର କର, ଗୋପାମୁଦ୍ରା ମହାପାତ୍ର, ରେମୁଣା ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ସାଗରିକା ଦତ୍ତ ପ୍ରମୁଖ ଘରୋଇ ହିଂସା, ନାରୀ ସଶକ୍ତିକରଣ ଓ ଯୌନ ନିର୍ଯାତନା ପ୍ରଭୃତି ବିଷୟ ଉପରେ ସଚେତନତା ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ ପୋଷଣ ମାସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଦର ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ସୁଜାତା ପଟ୍ଟନାୟକ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସିମୁଳିଆ ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଭାରତୀ ତ୍ରିପାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପୋଷକ ଖାଦ୍ୟ ସମାଗ୍ରୀ ସମ୍ଭାରର ପ୍ରଦର୍ଶନୀ ଅୟୋଜିତ ହୋଇଥିଲା ।ଏହାକୁ ବିଧାୟକ ଶ୍ରୀ ଦାସଙ୍କ ଅନ୍ୟ ଅତିଥିମାନେ ଉଦଘାଟନ କରିଥିଲେ । ବିଭିନ୍ନ ବ୍ଲକର ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ଲଗାଯାଇଥିବା ଷ୍ଟଲଗୁଡ଼ିକୁ ଅତିଥିମାନେ ବୁଲି ଦେଖିବା ସହ ପ୍ରଦର୍ଶିତ ଖାଦ୍ୟର ପୌଷ୍ଟିକତା ସମ୍ପର୍କରେ ପଚାରି ବୁଝିଥିଲେ । ସମସ୍ତ କାର୍ଯ୍ୟକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ