ବାଲେଶ୍ୱରରେ ଶାନ୍ତିପୂର୍ଣ୍ଣ ୧୦ଘଣ୍ଟିଆ ବନ୍ଦ ପାଳନ ଭାରତ ବନ୍ଦରେ ପ୍ରଭାବିତ ସାଧାରଣ ଜୀବନଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିସାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ସୋମବାର ଆୟୋଜିତ ଦେଶବ୍ୟାପୀ ୧୦ ଘଣ୍ଟିଆ ‘ଭାରତ ବନ୍ଦ’ ବାଲେଶ୍ୱରରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଯଦିଚଃ ଏହି ବନ୍ଦ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି, ତେବେ ସହର ସମେତ ଜିଲାର କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟି ନଥିବା ଲକ୍ଷ୍ୟ କରାଯାଇଥିଲା । ବାଲେଶ୍ୱରରେ ଏକାଧିକ ଶ୍ରମିକ ଓ କୃଷକ ସଂଗଠନଙ୍କ ସମେତ ଜିଲା କଂଗ୍ରେସର ମଳିତ ସମର୍ଥନରେ ଏହି ବନ୍ଦ ପାଳନ କରାଯାଇଥିଲା । ସକାଳେ ଆନ୍ଦୋଳନକାରୀମାନେ ବକ୍ଷୋଭ ପ୍ରଦର୍ଶନ ସହ ଓ ରେଳ ଧାରଣାରେ ବସି ରହିବା ଯୋଗୁଁ ‘ବାଙ୍ଗିରିପୋଷି-ଭୁବନେଶ୍ୱର’ଦ୍ରୁତଗାମୀ ରେଳଗାଡ଼ିକୁ ଦୀର୍ଘ ସମୟ ଧରି ବାଲେଶ୍ୱର ରେଳ ଷ୍ଟେସନରେ ଅଟକିବାକୁ ପଡ଼ିଥିଲା । ସେହିଭଳି ଜିଲାର ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ମଧ୍ୟ ଏକାଧିକ ରେଳଗାଡ଼ି ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରେ ଆନ୍ଦୋଳନକାରୀମାନେ ଦଳ ଦଳ ହୋଇ ସହରର ବିଭିନ୍ନ ଅଞ୍ଚଳ ବୁଲି ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ । ଏମିତିକି ଅଦାଲତ ସମ୍ମୁଖରେ ବିକ୍ଷୋଭକାରୀଙ୍କ ପିକେଟିଂ ଯୋଗୁଁ ବିଚାରପତିମାନେ କାର୍ଯ୍ୟରେ ଯୋଗ ନ ଦେଇ ଫେରି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଦୋକାନ ବଜାର ସାଙ୍ଗକୁ ବସ, ଟ୍ରେନ, ଟ୍ରକ, ଟ୍ରେକର, ଅଟୋ, ଟ୍ୟାକ୍ସି ପ୍ରଭୃତି ଯାନ ବାହାନ ଚଳାଚଳ ବନ୍ଦ ରହିବା ଫଳରେ ଯାତ୍ରୀଙ୍କ ସମେତ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟା ସାମ୍ନା କରିଥିଲେ । ସିପିଆଇ, ସିପିଏମ, କଂଗ୍ରେସ, ଫରୱାଡ଼ବ୍ଲକ ସମେତ ଏକାଧିକ ଶ୍ରମିକ ଓ କୃଷକ ସଂଗଠନଙ୍କ ପକ୍ଷରୁ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ଜୟନ୍ତ ମହାନ୍ତି, ଜୟନ୍ତ ଦାସ, ଶ୍ୟାମସୁନ୍ଦର ଜେନା, ବନ୍ଦନା ପାତ୍ର, ଗୌରୀ ଦାସ, ଯତୀନ ପାତ୍ର, ଶଶିକାନ୍ତ ବେହେରା, ଭରତ ସେଠୀ, ନିରଂଜନ ପରିଡ଼ା; ନିର୍ମଳ ନାୟକ, ନିକୁଞ୍ଜ ବସନ୍ତ ରାୟ, ଅସିତ ବରଣ ଦାସ, ସୁଶାନ୍ତ ନାୟକ, ଉମାକାନ୍ତ ପାତ୍ର, ରାଜିଶୋର ଦାସ, ଶମ୍ଭୁନାଥ ନାୟ, ଗୋପୀନାଥ ପାଢ଼ୀ, ଅଶୋକ ଆଢ଼୍ୟ, ରଂଜନ ଦାସ, ଗୌତମ ସାହୁ, ପଶୁପତି ଉପାଧ୍ୟାୟ, ଅର୍ଚ୍ଚନା ନନ୍ଦୀ, ସୁରେଶ ଚନ୍ଦ୍ର ବେହେରା, ବିକାଶ ଦାସ, ବାସନ୍ତି ସାମଲ; ଏସୟୁସିଆଇରୁ ରବୀନ୍ଦ୍ର ବେହେରା, ଉମାକାନ୍ତ ଦାସ, ବଂଶୀଧର ବେହେରା, ଅରୁଣ ଜେନା, ଅରୁଣ ସ୍ୱାଇଁ, କମଳାକାନ୍ତ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ବହୁ କର୍ମୀ ଭାରତ ବନ୍ଦକୁ ବାଲେଶ୍ୱରରେ ସଫଳ କରିବା କୁ ଉଦ୍ୟମ ଜାରି ରଖିଥିଲେ । କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା । ବନ୍ଦ ପାଳନ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପକ୍ଷରୁ ବିହୀତ ପଦକ୍ଷେପ ନିଆଯାଇଥିଲା । ବିଭିନ୍ନ ସରକାରୀ ଅଫିସ ସମେତ ସହରର ବହୁ ସ୍ଥାନରେ ପୁଲିସ ମୁତୟନ କରାଯାଇଥିବା ବେଳେ ଏକାଧିକ ପହରା ଗାଡ଼ି ସହର ମଧ୍ୟରେ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲା । ଜିଲା ପୁଲିସର ପଦସ୍ଥ ଅଧିକାରୀମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଥିଲେ । ଏହି ବନ୍ଦ ପାଳନ ବେଳେ ବାଲେଶ୍ୱରରେ ଆପାତତଃ ସେଭଳି ଅଭାବନୀୟ ପରିସ୍ଥିତି ଉପୁଜି ନଥିବା ଜଣାପଡ଼ିଛି । ବାଲେଶ୍ୱର ସହର ସମେତ ଜିଲାର ବିଭିନ୍ନ ବ୍ଲକ ସ୍ତରରେ ବି ଅନୁରୂପ ବନ୍ଦ ପାଳନ କରାଯାଇଥିଲା ।


