ବାଲେଶ୍ୱରରେ ଶୁଭାରମ୍ଭ ହେଲା ସଡ଼କ ସୁରକ୍ଷା ସପ୍ତାହ-୨୦୨୪
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ-୨୦୨୪ର ଆଜି ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କଚେରୀ ହତାସ୍ଥିତ ସଦର ବ୍ଲକ କାର୍ୟ୍ୟାଳୟରେ ଆୟୋଜିତ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇ ସଡ଼କ ସୁରକ୍ଷା ସପ୍ତାହ-୨୦୨୪ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହିତ ପତାକା ଦେଖାଇ ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ସମଗ୍ର ଜିଲ୍ଲା ପରିକ୍ରମା ସହ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ସମ୍ପର୍କିତ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବ । ଟ୍ରାଫିକ ନିୟମ ମାନି ଗାଡ଼ି ଚାଳନା କରିବା ଏବଂ ଏହି ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଗୁରୁତ୍ୱାରୋପ କରିବା ସହିତ “ସଡ଼କ ସୁରକ୍ଷା, ପରିବାର ରକ୍ଷା” ପ୍ରତି ସଚେତନ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରା ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏକ ସୁରକ୍ଷିତ ସଡ଼କ ପରିବେଶ ପ୍ରତିପାଦନ କରିବାରେ ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ ପାଳନ ସମ୍ପର୍କିତ ସଚେତନତା ବାର୍ତ୍ତାସମ୍ବଳିତ ବ୍ୟାନର, ପୋଷ୍ଟର, ହୋର୍ଡ଼ିଂ ଆଦି ଲାଗାଇବା, ପ୍ରଚାରପତ୍ର ବଣ୍ଟନ, ସଡ଼କ ସୁରକ୍ଷା ରଥ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର, ୱାକାଥନ, ସାଇକ୍ଲୋଥନ ଆଦିର ଆୟୋଜନ, ସଡକ ସୁରକ୍ଷା ସମ୍ପର୍କିତ କର୍ମଶାଳା, ହେଲମେଟ୍, ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ନିଶାସକ୍ତ ଡ୍ରାଇଭରଙ୍କୁ ଯାଞ୍ଚ ଆଦି କାର୍ୟ୍ୟକ୍ରମ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରା କହିଛନ୍ତି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା କରାଯିବ । ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ବ ରଞ୍ଜନ ନାୟକ ଓ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମରଜିତ କର ଯୋଗ ଦେଇଥିଲେ । ଏଠାରେ ସୂଚନା ଥାଉ କି, ସଡ଼କ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଦାୟିତ୍ବପୂର୍ଣ୍ଣ ଆଚରଣକୁ ଉତ୍ସାହିତ କରିବା ନିମନ୍ତେ ସମଗ୍ର ରାଜ୍ୟରେ ଚଳିତ ଜାନୁଆରୀ ୦୧ ତାରିଖରୁ ୦୭ ତାରିଖ ପର୍ୟ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ପାଳନ କରାଯାଉଛି I