ବାଲେଶ୍ୱରରେ ସାରସ୍ୱତ ସମାବେଶ ‘ହେ ଫଗୁଣ ତୁମେ ଗଲାପରେ…’
ବାଲେଶ୍ୱର, (ସରୋଜ ପଣ୍ଡା) :ଋତୁରାଜ ବସନ୍ତକୁ ନେଇ ଫ୍ୟୁଚର ବାଲେଶ୍ୱର ପକ୍ଷରୁ ସାରସ୍ୱତ ସମାବେଶ ‘ ହେ ଫଗୁଣ ତୁମେ ଗଲାପରେ…’ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଏଥିରେ ପୌରୋହିତ୍ୟ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କବି କାଳୀପଦ ପଣ୍ଡା, କବି ଅଭୟ ଦାସ, କବି ସୈରିନ୍ଦ୍ରୀ ସାହୁ, ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ଶିକ୍ଷାବିତ ସତ୍ୟଜିତ ମିଶ୍ର ପ୍ରମୁଖ ଏଥିରେ ଅତିଥି-ବକ୍ତା ଭାବେ ଯୋଗଦେଇ ଧରାପୃଷ୍ଠ ତଥା ଜୀବଜଗତ ଉପରେ ବସନ୍ତ ଋତୁର ପ୍ରଭାବ ଓ ଏହାର ସାରସ୍ୱତ ଅନୁଭୁତି ସମ୍ପର୍କରେ ଆଲୋଚନା କରିଥିଲେ । ଫାଲଗୁନ ମାସ ଚାଲିଗଲା ପରେ ବି ବସନ୍ତର ସ୍ପର୍ଶରେ ମନ ଓ ଶରୀରର ପ୍ରତିକ୍ରିୟା ଜାରି ରହିଥାଏ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ପୂର୍ବତନ ପୌର ଉପାଧ୍ୟକ୍ଷା ତଥା ଚଳିତ ପୌର ନିର୍ବାଚନର ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ରଶ୍ମିରେଖା ଦେବ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଏଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଆୟୋଜିତ ଏକ କବିତା ପାଠ ଉତ୍ସବରେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଓ ରବୀନ୍ଦ ବିଶ୍ୱାଳ ସଂଯୋଜନା କରିଥିଲେ । ବହୁ କବି ଓ କବୟିତ୍ରୀ ଏଥିରେ ଯୋଗଦେଇ ବସନ୍ତ ଋତୁ ତଥା ଫାଲଗୁନ ମାସ ଊପରେ ଆଧାରିତ ସ୍ୱରଚିତ କବିତା ପାଠ କରିଥିଲେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିିରେ ଯୋଗଦେଇଥିଲେ ।


