ବାଲେଶ୍ୱରରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଏକାଡେମୀ ଅଫ ବିଜିନେସ ଆଡମିଷ୍ଟ୍ରେସନ (ଏବିଏ) ଶିକ୍ଷାନୁଷ୍ଠାନ ଏବଂ ‘ରାଜା ଫିଟନେସ’ର ମିଳିତ ସହଯୋଗରେ ସୁନ୍ଦର ସ୍ୱାସ୍ଥ୍ୟ (ବଡି ବିଲଡିଂ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏବିଏ କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ପରିଚାଳନା କମିଟି ଚେୟାରମ୍ୟାନ ଶିଳ୍ପପତି ସୁଧାସିନ୍ଧୁ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସୁସ୍ଥ ଶରୀର ଗଠନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ପରିଚାଳନା କମିଟିର ସମ୍ପାଦିକା ସମାଜସେବୀ ଅଞ୍ଜଳି ପଣ୍ଡା ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁନ୍ଦର ଶରୀର ଗଠନ ସୁସ୍ଥ ମଣିଷ ତଥା ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ । କଲେଜର ନିର୍ଦ୍ଦେଶନ କମଳାକାନ୍ତ ଆଚାର୍ଯ୍ୟ, ବାଲେଶ୍ୱର ବଡି ବିଲଡର୍ସ ଆସୋସିଏସନର ସଭାପତି ବସନ୍ତ କୁମାର ମହାନ୍ତି, ସମ୍ପାଦକ ତରୁଣ ଚାଟାର୍ଜୀ, ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ସାହୁ, ସହ-ସମ୍ପାଦକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ସାଦିକ ଅଲ୍ଲୀ ଖାଁ ପ୍ରମୁଖ ଏଥିରେ ଯୋଗଦେଇ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କଲେଜର ଅଧ୍ୟକ୍ଷା ଡକ୍ଟର ସଙ୍ଗୀତା ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଅନୁଷ୍ଠିତ ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ବିଭିନ୍ନ ବୟସ ବର୍ଗରେ ବିଭକ୍ତ ସହ ସେମାନଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରାଯାଇଥିଲା । ବିଚାରକମାନେ ପ୍ରତ୍ୟେକ ବର୍ଗରୁ ଶ୍ରେଷ୍ଠ ୩ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଏଥିରେ ଶେଖ ଏହେସାନଙ୍କୁ ଚମ୍ପିୟନ ଘୋଷିତ ହୋଇଥିଲେ । ଏବିଏ କଲେଜ ଅଧ୍ୟାପକ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଅମୀୟ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଦୀପ ପଣ୍ଡା, ସମରଜିତ ସାହୁ, ମାଣିକ ଚାନ୍ଦ ଦେ, ପ୍ରଶାନ୍ତ ମହାନ୍ତି, ଅଶୋକ ବାରିକ, ବିରେଶ ପୋଥାଳ ପ୍ରମୁଖଙ୍କ ସମେତ କଲେଜର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।