ବାଲେଶ୍ୱରରେ ୧୯୧ଟି ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି । ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ହେଲିକେପ୍ଟରରୁ ଅବତରଣ ପରେ ମୁଖ୍ୟମନ୍ତ୍ରୀ ନବନିର୍ମିତ ଶୋଭାରାମପୁର ରେଳ ଓଭରବ୍ରିଜକୁ ପ୍ରଥମେ ଉଦ୍ଘାଟନ କରିଥିଲେ । ପରେ ରିଜର୍ଭ ପୁଲିସ ପଡ଼ିଆସ୍ଥିତ ସଭାରେ ଯୋଗଦେଇ ଜିଲାବାସୀଙ୍କୁ ସମ୍ବୋଧିତ କରିଥିଲେ । ଜିଲ୍ଲାର ୫୬୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରି ମିଶନ ଶକ୍ତି ମା’ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ଆନ୍ଦୋଳନକୁ ଏକ ନୂଆ ସୋପାନରେ ପହଞ୍ଚାଇବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ୬୦ ହଜାର ମା’ମାନଙ୍କୁ ଏହି ସହାୟତା ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ପଞ୍ଚାୟତ ଯଦି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଦ୍ରବ୍ୟ ଉତ୍ପାଦନ କରିପାରିବେ, ଏହା ବଜାର ପାଇଁ ସହାୟକ ହେବା ସାଙ୍ଗକୁ ପ୍ରତ୍ୟେକ ପଞ୍ଚାୟତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ । ମା’ମାନେ ଓଡ଼ିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ମା’ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ । ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି ପ୍ରଭୃତି କ୍ଷେତ୍ରରେ ବାଲେଶ୍ୱର ଆଗୁଆ । ଆଜିର ଏହି କାର୍ଯ୍ୟକ୍ରମ ବିକାଶର ଏହି ଧାରାକୁ ଆହୁରି ଆଗକୁ ନେବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏବଂ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ପ୍ରମୁଖ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ମେଡିକାଲ କଲେଜ ଠାରୁ ଆରମ୍ଭ କରି ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ କଲ୍ୟାଣ କାର୍ଯ୍ୟକ୍ରମ ସବୁ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି ବୋଲି ସେମାନେ କହିଥିଲେ । ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ୱାରା ମା ମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସୋର ବିଧାୟକ ପର୍ଶୁରାମ ଧଡ଼ା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମେତ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିିରେ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଇଂ ରବୀନ୍ଦ୍ର କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


