ବାଲେଶ୍ୱରରେ ୫୯ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା ପୁଲିସ ପକ୍ଷରୁ ୫୯ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ରିଜର୍ଭ ପୁଲିସ ବ୍ୟାରେକରେ ସୋମବାର ସକାଳେ ପାଳିତ ହୋଇଯାଇଛି । ପ୍ରତିବର୍ଷ ରିଜର୍ଭ ପଡ଼ିଆରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ବର୍ଷା ଯୋଗୁଁ ଏହାକୁ ବ୍ୟାରେକକୁ ସ୍ଥାନାନ୍ତର କରାଯାଇଥିଲା । ପୂର୍ବାଞ୍ଚଳ ଜୋନ ପୁଲିସ ମହାନିରୀକ୍ଷକ ହିମାଂଶୁ ଲାଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠାର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ୧୯୬୨ ମସିହା ଭାରତ-ଚୀନ ଯୁଦ୍ଧରେ ଭାରତୀୟ ସେନା ବାହିନୀଙ୍କୁ ସହଯୋଗ କରିବା ସହିତ ଦେଶର ତତ୍କାଳୀନ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠାରେ ପୁଲିସ ସହ ସମନ୍ୱୟ ରକ୍ଷା ପୂର୍ବକ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା କରାଯାଇଥିଲା । ସେହିଦିନଠାରୁ ସମଗ୍ର ଦେଶରେ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଆସୁଛି । ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା, ରାତ୍ରୀକାଳୀନ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ ସହ ନିଷ୍କାମ ସେବା ପ୍ରଦାନ କରୁଥିବା ଗୃହରକ୍ଷୀ ବାହିନୀ ସଂପ୍ରତି ପୋଲିସ ବିଭାଗର ଏକ ଅବିଚ୍ଛେଦ ଅଂଗ ହୋଇଯାଇଥିବା ସେ କହିଥିଲେ । ଗୃହରକ୍ଷୀ ବାହିନୀର ସମାଦେଷ୍ଟା (କମାଣ୍ଡାଣ୍ଟ) ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ହୋମଗାର୍ଡ଼ ମହା ନିର୍ଦ୍ଦେଶକଙ୍କଠାରୁ ଆସିଥିବା ଶୁଭେଚ୍ଛା ବାର୍ତ୍ତାକୁ ମୁଖ୍ୟ ଅତିଥି ପାଠ କରିଥିଲେ । ଜିଲା ପୁଲିସର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


