ବାଲେଶ୍ୱରର ବିଜେପିର ବିଜୟ ସଂକଳ୍ପ ସମାବେଶରେ ବିଜେଡି ଉପରେ ବର୍ଷିଲେ ମୋଦି

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ)- ବିଜେଡି ସରକାର ଯୋଗୁଁ ବାଲେଶ୍ୱରର ଜନତା ତଳିତଳାନ୍ତ ହୋଇଛନ୍ତି । ଓଡିଶାକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଡବଲ ଇଞ୍ଜିନ୍ ଦରକାର । ବିଜେପିକୁ ପାଞ୍ଚ ବର୍ଷ ସୁଯୋଗ ଦିଅ ୫ ଗୁଣା ଅଧିକ କାମ କରି ଦେଖାଇବୁ ବୋଲି ମଙ୍ଗଳବାର ମୋଦୀ ବାଲେଶ୍ୱର ଜିଲ୍ଲାର ବସ୍ତାଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମୋଦୀ ଉଦ୍ବୋଧନ ଦେଇ କହିଲେ, ଦେଶ ପ୍ରତି ବାଲେଶ୍ୱରର ବହୁ ଅବଦାନ ରହିଛି । ୩ ବର୍ଷ ତଳେ ଆସିଥିଲି । ପରିବର୍ତ୍ତନ ପାଇଁ ବାଲେଶ୍ୱରର ବ୍ୟଗ୍ରତା ଦେଖିଥିଲି । ଓଡିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି । ପ୍ରଥମ ଦୁଇଟୁ ପର୍ଯ୍ୟାୟ ମତଦାନ ପରେ ଏକଥା ସ୍ପଷ୍ଟ ହୋଇଛି । ସାରା ଓଡିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି । ଲୋକତନ୍ତ୍ରର ଶକ୍ତିକୁ ଏଠାକାର ସରକାର ବୁଝିପାରିଲେଣି । ଶାସନତନ୍ତ୍ରକୁ ଜାବୁଡି ଧରିଥିବା ମୁଖ୍ୟମନ୍ତ୍ରୀ ଏବଂ କିଛି ଅଫିସରଙ୍କ ନିଦ ଓଡିଲାଣି । ଏଠାକାର ଲୋକ ଜାଣିଲେଣି କଚ୍ଛପ ଗତିରେ ବିକାଶ ଚାଲିବନି । ମୋଦୀ ଆହୁରି କହିଥିଲେ ଯେ, କିଛିଦିନ ତଳେ ବାଲେଶ୍ୱରର ନାଁ ଇତିହାସରେ ଲିପିବଦ୍ଧ ହୋଇଛି । ମିଶନ ଶକ୍ତି ସଫଳତା ବାଲେଶ୍ୱରକୁ ଗୌରବାନ୍ୱିତ କରିଛି । ମାତ୍ର ୩ ମିନିଟ୍ରେ ଶତ୍ରୁ ପକ୍ଷର ସାଟେଲାଇଟ୍ ଧ୍ୱଂସ କରାଯାଇଛି । ଏପରି ପାରଦର୍ଶିତା ଲାଭ କରିବାରେ ଭାରତ ବିଶ୍ୱର ୪ର୍ଥ ଦେଶ ହୋଇପାରିଛି । ଭାରତ ବର୍ତ୍ତମାନ ଜଳ, ସ୍ଥଳ, ଆକାଶ ଏବଂ ମହାକାଶର ସୁପର ପାୱାର ହୋଇଛି । ଏହି ସଫଳତା ଦେଶବାସୀଙ୍କୁ ଗର୍ବିତ କରିଛି । ବର୍ତ୍ତମାନ କ୍ଷେପଣାସ୍ତ୍ରଠାରୁ ମୋବାଇଲ ପର୍ଯ୍ୟନ୍ତ ସବୁକିଛି ସାଟେଲାଇଟରେ ଚାଲୁଛି ବୋଲି ମୋଦୀ ତାଙ୍କ ଅଭଭାଷଣରେ ପ୍ରକାଶ କରିଛନ୍ତି । ଏଥିରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବାଲେଶ୍ୱେର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ବସ୍ତା ବିଧାୟକ ପ୍ରାର୍ଥୀ ରଘୁନାଥ ମହାନ୍ତି, ସଦର ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବିଜେପି ନେତା, ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । ଓଡିଶାର ଭ୍ରଷ୍ଟାଚାର ବିଜେଡି ଶାସନର ଅନ୍ତ ହେବାର ସୂଚନା ମିଳୁଥିବା ବେଳେ ବିଜେଡି ଅସ୍ତବ୍ୟସ୍ତ ହୋଇପଡିଛି । କଳେବଳେ କିମ୍ବା ବାହୁବଳେ ବିଜେପିକୁ ପରାସ୍ତ କରି ନିର୍ବାଚନରେ ଜିତିବା ପାଇଁ ଚେଷ୍ଟା ଚଳାଇଛି । ଯାହା ଦ୍ୱାରାକି ଚାରିଆଡେ ଗୁଣ୍ଡାଗର୍ଦ୍ଦିର ନମୂନା ଦେଖିବାକୁ ମିଳୁଛି । ଏପରିକି ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଯିବା ପାଇଁ ଲୋକମାନଙ୍କୁ ଏବଂ ବିଜେପି କର୍ମୀମାନଙ୍କୁ ବିଜେଡି କର୍ମୀମାନେ ରାସ୍ତା ଅବରୋଧ କରି ଛାଡି ନଥିଲେ । ପୋଲିସ ପ୍ରଶାସନର ହସ୍ତକ୍ଷେପ ଫଳରେ ରାସ୍ତା ଅବରୋଧ ହଟିବା ଫଳରେ କର୍ମୀମାନେ ସଭାସ୍ଥଳକୁ ଯାଇଥିଲେ । ବିଜେଡିର ଏପରି ହୀନ ଚକ୍ରାନ୍ତ ସାଧାରଣ ଜନତା ଠିକ୍ ଭାବେ ବୁଝିପାରୁଛନ୍ତି ଏବଂ ଆଗାମୀ ନିର୍ବାଚନରେ ଠିକ୍ ସମୟରେ ତାର ଜବାବ ଦେବେ ବୋଲି ବସ୍ତା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ରଘୁନାଥ ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ