ବାଲେଶ୍ୱର କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା ପାଇଁ ଗଠିତ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ନୂତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁରବିକାଶଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବାଲେଶ୍ୱର ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ସୁନାମ ଅର୍ଜନ କରିଥିଲା । କିନ୍ତୁ କୃଷିକୁ ଜୀବିକାଭାବେ ଗ୍ରହଣ କରିବାପାଇଁ କୃଷି ସଂପର୍କୀୟ ଶିକ୍ଷା ଓ କୃଷି ଗବେଷଣା କ୍ଷେତ୍ର ପ୍ରତିଷ୍ଠା ହେଲେ ଏହା କୃଷକ ଓ କୃଷି ପାଇଁ ସହାୟକ ହେବ ବୋଲି ଜିଲ୍ଲାପାଳଙ୍କୁ ପ୍ରତିନିଧିମାନେ ଅବଗତ କରାଇଥିଲେ । ବାଲେଶ୍ୱରର ବିଧାୟକମାନେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୂର୍ବତନ ସରକାର ଓ ବର୍ତ୍ତମାନର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଏଥିପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ସୁପାରିଶ କରିବାକୁ ପ୍ରତିନିଧିମାନେ ଅନୁରୋଧ କରିଥିଲେ ।ବାଲେଶ୍ୱର ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଏଥିପାଇଁ ଅନୁକୂଳ ମତ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ବାଲେଶ୍ୱରବାସୀଙ୍କ ଦାବିକୁ ସରକାରଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ କ୍ରିୟାନୁଷ୍ଠାନ ସମିତିର ସଂପାଦକ ଚୌଧୁରୀ ଅଭୟ ମିଶ୍ର, ନିରଞ୍ଜନ ପରିଡ଼ା, ଡ. କ୍ଷିତିଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ ଓ ପୂର୍ବତନ ସରପଞ୍ଚ ସନାତନ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ସହ ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ