ବାଲେଶ୍ୱର ଗୋଲ୍ଡ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସମ୍ରାଟ ସ୍ପୋର୍ଟିଂଏଣ୍ଡ କଲଚୁରାଲ କ୍ଲବ ଆନୁକୂଲ୍ୟରେ ବିଜୟ ମହାନ୍ତି ମେମୋରିଆଲ ବାଲେଶ୍ୱର ଗୋଲ୍ଡ କପ-୨୦୨୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ପରମିଟ ପଡିଆରେ ଆଜି ଉଦଘାଟିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ବାଲେଶ୍ୱର ଜିଲା କ୍ରୀଡ଼ାସେଂଘର କୋଷାଧ୍ୟକ୍ଷ ଅମର ପ୍ରସାଦ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଏହା ଦ୍ୱାରା ବାଲେଶ୍ୱରରୁ ବହୁ ଉଦୀୟମାନ କ୍ରିକେଟ ଖେଳାଳି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇପାରିଛନ୍ତି ବୋଲି କହିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଭାସ୍କର ବେହେରା, ବାଲେଶ୍ୱର ଜିଲା କ୍ରିଡ଼ା ସଂଘର ସଦସ୍ୟ ସତ୍ୟରଞ୍ଜନ ଦାସ, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ଦାସ, ସମ୍ରାଟ କ୍ରିକେଟ କ୍ଲବର ବରିଷ୍ଠ ଖେଳାଳି ଅମରେନ୍ଦ୍ର ପାତ୍ର, ଶିବାନୀଶଙ୍କର ପଣ୍ଡା, ସନ୍ତୋଷ ଅଗସ୍ତି, ଅୟନ ସେନ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୋଜକ କମିଟ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବାଲେଶ୍ୱର ଗୋଲ୍ଡ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟି ଅଧ୍ୟକ୍ଷ ଅଜିତ କୁମାର ପାତ୍ର ଉଦଘାଟନୀ କାର୍ଯ୍ୟକ୍ରରେ ସଂଯୋଜନା କରିଥିଲେ । ପ୍ରାରମ୍ଭରେ କ୍ଲବର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତଃ ବିଜୟ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆସନ୍ତା ୨୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ୪୦ ଓଭର ବିଶିଷ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ମର୍ଣ୍ଣିଂଷ୍ଟାର କ୍ଲବ ଓ ଜଗତ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମର୍ଣ୍ଣିଷ୍ଟାର ୨୮.୩ ଓଭରରେ ସମସ୍ତ ଉଇକେଟ ହରାଇ୧୫୧ ରନ ସଂଗ୍ରହ କରି ଥିବା ବେଳେ ଜଗତ କ୍ରିକେଟ କାଡେମୀ ୩୮.୫ ଓଭରରେ ୮ ଉଇକେଟ ବିନିମୟରେ ୧୫୨ ରନ ସଂଗ୍ରହ ସହ ବିଜୟୀ ଘୋଷିତ ହୋଇଥିଲା । ଅମିତ ଅମିତାଭ ମହାକୁଡ଼ ଓ ଗିରିଶ ସାହୁ ଆମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସୋମେନ୍ଦ୍ର ସାହୁ ଓ ରାହୁଲ ସିଂହ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ଅଲରାଉଣ୍ଡର କ୍ଲବ ଓ ବିସିଏ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି । ଅଶ୍ୱିନୀ ସାମଲ, ଅଶୋକ ବାରିକ, ଅବିନାଶ ପାତ୍ର, ଦିଲୀପ ଦାସମହାପାତ୍ର, ବିଜୟ ପାଢ଼ୀ, ଅଜିତ ପାତ୍ର, ଶେଖ ଜଲାଲୁଦ୍ଦିନ, ନରୋତ୍ତମ ଭଞ୍ଜ, ଅମିତ ଦାଶ, ଜୟକୃଷ୍ଣ ନାୟକ, ନାଜମଲ ହୋଦା, ରାଜକିଶୋର ଦାସ ପ୍ରମୁଖ କ୍ଲବର ସଦସ୍ୟମାନେ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରୁଛନ୍ତି ।


