‘ବାଲେଶ୍ୱର ଜନଜାଗରଣ ମଞ୍ଚ’ ପକ୍ଷରୁ ଫକୀର ମୋହନ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାର ଅନ୍ୟତମ ଗଣ ସଂଗଠନ ‘ବାଲେଶ୍ୱର ଜନଜାଗରଣ ମଞ୍ଚ’ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୧ ତମ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ନେଇ ବ୍ୟାସକବିଙ୍କ ଅବଦାନ ଏ ଜାତିକୁ ପରିଚୟ ଦେଇଛି ବୋଲି କହିଥିଲେ । ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ତଥା କ୍ଷୁଦ୍ର ମଧ୍ୟମ ଖବରକାଗଜର ଉପ-ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ଜେନା, ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ଓ ଡ. ହରିଶ୍ଚନ୍ଦ୍ର ବେହେରା, ସମାଜସେବୀ ଅଞ୍ଜଳି ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ କଥା ସମ୍ରାଟଙ୍କ ଜୀବନାଦର୍ଶ ଓ ସାହିତ୍ୟକୃତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଦିବ୍ୟାଙ୍ଗ ତଥା ବୟସ୍କ ରେଳଯାତ୍ରୀଙ୍କ ପାଇଁ ଏକ ହୁଇଲ ଚେୟାର ବାଲେଶ୍ୱର ଷ୍ଟେସନର ଯାତ୍ରୀ ସାହାଯ୍ୟକାରୀଙ୍କୁ ପ୍ରଦାନ କରାଯାଇଥିଲା । ଆଇନଜୀବୀ ତୁଷାରକାନ୍ତି ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶୁଭେନ୍ଦୁ କୁମାର ପଟ୍ଟନାୟକ, ସମରେନ୍ଦ୍ର ନାଥ ଦାସ, ଅଜିତ କୁମାର ବରାଳ, ଉମେଶ ଚନ୍ଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ