ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ବ୍ଲକସ୍ତରୀୟ ପରାମର୍ଶ ମେଳା
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ବିଭାଗ ଆନୁକୂଲ୍ୟରେ ଜିଲ୍ଲାର ୧୨ ଗୋଟି ବ୍ଲକରେ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ବ୍ଲକସ୍ତରୀୟ ପରାମର୍ଶ ମେଳା ଅନୁଷ୍ଠିତ ହେବାକୁ ଯାଉଅଛି I ପଞ୍ଚମ ଶ୍ରେଣୀ ପାସ୍ ଏବଂ ତତ୍ ଉର୍ଦ୍ଧ୍ବ, ସ୍କୁଲ କିମ୍ବା କଲେଜ ପାଠ ପଢା ଛାଡିଥିବା ଅଣନିଯୁକ୍ତ ଯୁବକ ଯୁବତୀମାନଙ୍କୁ ଏହି ପରାମର୍ଶ ମେଳାରେ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯିବ I ଉକ୍ତ ବ୍ଲକସ୍ତରୀୟ ପରାମର୍ଶ ଶିବିର ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ସମାପ୍ତ ହେବ ବୋଲି କାର୍ଯ୍ୟକ୍ରମର ସଂଯୋଜକ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମିଶ୍ର କହିଛନ୍ତି Iବ୍ଲକ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରାମର୍ଶ ମେଳା ବ୍ଲକ ପରିସରରେ ସିମୁଳିଆରେ ଚଳିତ ମାସ ୧୨ ତାରିଖ, ଖଇରାରେ ୧୩ ତାରିଖ, ଔପଦାରେ ୧୪ ତାରିଖ, ନୀଳଗିରିରେ ୧୫ ତାରିଖ, ବସ୍ତାରେ ୧୬ ତାରିଖ, ରେମୁଣାରେ ୧୮ ତାରିଖ, ଜଳେଶ୍ୱରରେ ୧୯ ତାରିଖ, ଭୋଗରାଇରେ ୨୦ ତାରିଖ, ବାଲିଆପାଳରେ ୨୧ ତାରିଖ, ବାଲେଶ୍ୱର ସଦରରେ ୨୨ ତାରିଖ (ସରକାରୀ ଆଇ.ଟି.ଆଇ ପରିସର ମଧ୍ୟରେ), ସୋରରେ ୨୬ ତାରିଖ ଓ ବାହାନଗାରେ ୨୮ ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି I ଏହି ପରାମର୍ଶ ମେଳା ସମ୍ପୃକ୍ତ ଦିନଗୁଡ଼ିକରେ ୧୦ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ Iଏଠାରେ ସୂଚନା ଥାଉ କି, ଯୋଗ୍ୟ ବିବେଚିତ ପ୍ରାର୍ଥୀ ପ୍ରାର୍ଥୀନୀମାନଙ୍କ ପ୍ରଶିକ୍ଷଣ ସମୟରେ ରହିବା, ଖାଦ୍ୟପେୟ ଓ ପ୍ରଶିକ୍ଷଣ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି I ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀ ପ୍ରାର୍ଥୀନୀମାନେ ନିଜ ଇଛା ମୁତାବକ ଟ୍ରେଡ୍ ରେ ତାଲିମ୍ ନେଇ ପାରିବେ I ତାଲିମ୍ ପରେ ବିଭିନ୍ନ ଘରୋଇ ଓ ଶିଳ୍ପ ଅନୁଷ୍ଠାନରେ ନିଯୁକ୍ତି ପ୍ରଦାନ କରାଯିବ I ଇଛୁକ ପ୍ରାର୍ଥୀ ପ୍ରାର୍ଥୀନୀମାନେ ନିଜର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର, ଆଧାର କାର୍ଡ, ପାସ୍ପୋର୍ଟ ସାଇଜ ଫଟୋ ସହିତ ନିଜ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ମେଳାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି I