ବାଲେଶ୍ୱର ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଖେଳରେ ମେଳ ହୁଏ ଏବଂ ବିଶ୍ୱଭ୍ରାତୃତ୍ୱଭାବ ସୃଷ୍ଟି କରିବା ପାଇଁ କ୍ରୀଡ଼ା ଏକ ବଳିଷ୍ଠ ମାଧ୍ୟମ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର କହିଛନ୍ତି I ଆଜି ସକାଳ ୧୦ ଘଟିକାରେ ସ୍ଥାନୀୟ ପରମିଟ୍ ପଡ଼ିଆଠାରେ ଡିସେମ୍ବର ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଲେଶ୍ୱର ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଉପରୋକ୍ତ ମର୍ମରେ ଅଭିଭାଷଣ ରଖିବା ସହ କ୍ରୀଡ଼ାକୁ ଏକ ଉତ୍ତମ ବୃତ୍ତି ମାଧ୍ୟମ ଭାବେ ମଧ୍ୟ ଗ୍ରହଣ କରିହେବ ବୋଲି କହିଥିଲେ I ଜିଲ୍ଲା କ୍ରୀଡ଼ା ବିଭାଗ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହରେ ସଭାପତିତ୍ୱ କରି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କ୍ରୀଡାର ଏହି ଜିଲ୍ଲାସ୍ତରୀୟ ମହାକୁମ୍ଭରେ ଶୃଙ୍ଖଳିତ ଭାବେ ପ୍ରତିଯୋଗିତା କରି ଉଚିତ୍ ସମୟ ମଧ୍ୟରେ ଏହାର ସମାପନ କରିବାକୁ ପ୍ରବର୍ତ୍ତାଇ ଥିଲେ I ପ୍ରକାଶ ଥାଉ କି, ରାଜ୍ୟ ସରକାରଙ୍କର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆ-ଓ କାର୍ଯ୍ୟସୂଚୀ ଅଧିନସ୍ଥ ଏହି କ୍ରୀଡ଼ା ଉତ୍ସବର ୪ ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ପରମିଟ୍ ପଡ଼ିଆ ଓ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ହକି, ଫୁଟବଲ, ଭଲିବଲ, ଖୋ-ଖୋ, କବାଡି, କ୍ରିକେଟ ଆଦି ସ୍ପର୍ଦ୍ଧାରେ ଉଭୟ ବାଳକ ଓ ବାଳିକାଙ୍କୁ ନେଇ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ଏବଂ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବେ Iଉଲ୍ଲେଖ ଯୋଗ୍ୟ ଯେ, ଜିଲ୍ଲାର ୧୨ଟି ବ୍ଲକ, ୩ଟି ପୌରପାଳିକା ଓ ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ପ୍ରାୟ ୧୮୦୦ ରୁ ଉର୍ଦ୍ଧ୍ବ କୃତି ପ୍ରତିଯୋଗୀ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି, ଯାହାର ପୁରସ୍କାର ବିତରଣୀ ଓ ଉଦଯାପନୀ ଉତ୍ସବ ଆସନ୍ତା ଜାନୁଆରୀ ୬ ତାରିଖରେ ସ୍ଥାନୀୟ ପୋଲିସ ଲାଇନ ପଡ଼ିଆରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି I ପୁରସ୍କାର ବାବଦକୁ ବିଜେତା ଦଳଙ୍କୁ ୫୦,୦୦୦/- ଟଙ୍କା, ପ୍ରଥମ ଉପବିଜେତାଙ୍କୁ ୩୦,୦୦୦/- ଟଙ୍କା ଏବଂ ଦ୍ଵିତୀୟ ଓ ତୃତୀୟ ଉପବିଜେତାଙ୍କୁ ୨୦,୦୦୦/- ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ସଦର ମାନ୍ୟବର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ରୋତ୍ସାହନ ଓ ତତ୍ ଜନିତ କ୍ରୀଡାର ଉତ୍ଥାନ ଉପରେ ବିଶଦ ବର୍ଣ୍ଣନା କରିଥିଲେ I ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଏହି ଅବସରରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଅତିଥିଭାବେ ବକ୍ତବ୍ୟ ରଖିଥିଲେ I ଅତିଥିମାନେ ପତାକା ଉତ୍ତୋଳନ କରି କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିବା ବେଳେ କ୍ରୀଡ଼ାବିତ୍ ମାନେ ପ୍ରତିଯୋଗିତାର ଶପଥ ନେଇଥିଲେ I ଉଲ୍ଲେଖ ଯୋଗ୍ୟଯେ, ମନ୍ତ୍ରୀ ଶ୍ରୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଏବଂ ବିଧାୟକ ଶ୍ରୀ ଦାସ କ୍ରିକେଟ ବ୍ୟାଟିଂ କରି ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ I ନୃତ୍ୟଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଆଜି ପରମିଟ ପଡ଼ିଆଠାରେ ଖୋ-ଖୋ ଓ କବାଡି ଏବଂ କ୍ରୀଡ଼ା ଛାତ୍ରାବାସ ଠାରେ ହକି ଓ ଭଲିବଲର ପ୍ରାଥମିକ ସ୍ତରର ପ୍ରତିଯୋଗିତାମାନ ଚାଲିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ