ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍):: ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ଆନୁକୁଲ୍ୟରେ ଆଜି ପୂର୍ବାହ୍ନ ୧୦ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ୧୯ ବର୍ଷ ଧରି କ୍ରମାଗତ ଭାବେ ବିଜୁ ଜନତା ଦଳ ରାଜ୍ୟରେ ଶାସନ କରୁଥିଲେ ମଧ୍ୟ ଶିଶୁ, ନାବାଳିକା ଓ ନାରୀ ନିର୍ଯ୍ୟାତନା, ବଳାକ୍ରାର, ଗଣବଳାକ୍ରାର, ଅପହରଣ ଓ ନିଖୋଜ ଘଟଣା ସହ ସଂପ୍ରତି ଆଇନ୍ ଶୁଙ୍ଖଳା ପରିସ୍ଥିତି ଅନିୟନ୍ତ୍ରିତ ଓ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିବା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ପ୍ରକାଶ ଥାଉକି ପ୍ରତ୍ୟେକ ଦିନ ୬ ଜଣ ମହିଳା ବଳାକ୍ରାରର ଶିକାର ହେବା, ୨୦୧୭-୧୮ ବର୍ଷରେ ୨୨୦୦ ଜଣ ବଳାକ୍ରାରର ଶିକାର ହୋଇଥିବା ବେଳେ, ଚଳିତ ବର୍ଷ ଏହି ସଂଖ୍ୟା ୨୫୦୦ ରେ ପହଞ୍ଚିବା ଅତ୍ୟନ୍ତ ଚିନ୍ତା ଓ ପରିତାପର ବିଷୟ । ଚଳିତ ବର୍ଷ ୫୦୨ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ପୁଲିସ ୪୨୩ ଜଣଙ୍କୁ ଖୋଜି ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହା ପୁଲିସ ବିଭାଗର ଅପାରଗତାକୁ ପ୍ରମାଣିତ କରୁଛି । ମା’କୁ ସମ୍ମାନ ଦେବାର ନାରା ଏ ସରକାରରେ କିପରି ପ୍ରତିପାଦିତ ହୋଇପାରିଛି ଏହା ସ୍ପଷ୍ଟ ଅନୁମେୟ କରାଯାଇପାରେ । କ୍ଷମତାର ଅହଂକାରରେ ନାବାଳିକା, ଶିଶୁ ଓ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସ୍ୱାଭିମାନ ପ୍ରତି ଏପରି ଚରମ ଅବହେଳାକୁ ଭାରତୀୟ ଜାତୀୟ କଂଗ୍ରେସ କଦାପି ବରଦାସ୍ତ କରେ ନାହିଁ । ଏ ବାବଦରେ କମିଟି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳ ମହୋଦୟଙ୍କୁ ଦୃଷ୍ଟି ଆକର୍ଷଣ କରିଥିବାର ଜଣାପଡିଛି । ଯଦି ଏପରି ଘଟଣାର ନିରାକରଣ ଦିଗରେ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାର ନନିଅନ୍ତି, ଆଗାମୀ ଦିନରେ ଜନସାଧାରଣଙ୍କ ସହଯୋଗରେ ପଲ୍ଲୀଠାରୁ ଜିଲ୍ଲା ଓ ରାଜ୍ୟ ସ୍ତରରେ କଂଗ୍ରେସ ଦଳ ଓଡିଶା ବନ୍ଦ ଡାକରା ଦେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।