ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ୯୪ତମ ଅଧିବେଶନ
ବାଲେଶ୍ୱର : ଜିଲ୍ଲା ବ୍ରାହ୍ମଣ ସମିତିର ୯୪ତମ ଅଧିବେଶନ ଦାମୋଦରପୁରସ୍ଥିତ କାର୍ଯ୍ୟାଳୟଠାରେ ଗତକାଲି ରବିବାର ଦିନ ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସର୍ବେଶ୍ୱର ପତି ବେଦପାଠ କରିଥିଲେ । ଜଗନ୍ନାଥ ବିଗ୍ରହଙ୍କ ଚରଣକମଳରେ ପୁଷ୍ପ ଓ ଧୂପ ଅର୍ପଣ ପରେ ସଭାପତିଙ୍କଦ୍ୱାରା ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ସଂପାଦକ ଗୌରଚନ୍ଦ୍ର ଦାଶ ପୂର୍ବ ଅଧିବେଶନର ବିବରଣୀ ସହିତ ଗତ ଜୁଲାଇ ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ବାର୍ଷିକ ଯଜ୍ଞ ଓ ଜିଲ୍ଲାସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ ଓ ରାଜ୍ୟ ସ୍ତରୀୟ ବ୍ରାହ୍ମଣ ସମାବେଶ ବାବଦରେ ହୋଇଥିବା ଆୟବ୍ୟୟର ବିବରଣୀ ପାଠ କରିଥିଲେ । ତାହା ସଭାରେ ତର୍ଜମା ପୂର୍ବକ ଆଲୋଚିତ ହୋଇ ସର୍ବସମ୍ମତିମତେ ଅନୁମୋଦିତ ହୋଇଥିଲା । ସମିତି କାର୍ଯ୍ୟାଳୟର ନବୀକରଣ ବାବଦରେ ସଭାରେ ଆଲୋଚନା କରାଯାଇ ବାକିଥିବା ନବୀକରଣ କାର୍ଯ୍ୟସଂପାଦନ ପାଇଁ ନିଷ୍ପତ୍ତି ଗୃହୀତ ହୋଇଥିଲା । ଜିଲ୍ଲା ସମିତିର ସଭ୍ୟସଂଖ୍ୟା ବୃଦ୍ଧି ଓ ବ୍ଲକ୍ସ୍ତରୀୟ ସଂଗଠନକୁ ତୃଣମୂଳସ୍ତରରୁ ଆଗେଇନେବାପାଇଁ ସଭାପତି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଖୁବ୍ ଶୀଘ୍ର ଜିଲ୍ଲାର ସମସ୍ତ ୧୨ଗୋଟି ବ୍ଲକ୍ ଓ ବାଲେଶ୍ୱର ପୌରାଞ୍ଚଳ କମିଟିର ସଭାପତି ଓ ସଂପାଦକମାନଙ୍କୁ ଡାକି ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଅବଗତ ହେବା ସହ ତୃଣମୂଳ ସ୍ତରରୁ ସଂଗଠନ ବୃଦ୍ଧି କରିବା ପାଇଁ ଏକ ବୈଠକ ଡାକିବାକୁ ସଭାରେ ସିଦ୍ଧାନ୍ତ ଗୃହୀତ ହୋଇଥିଲା । “ଭାରତୀୟ ମାନବାଧିକାର ସଚେତନତା ସଂଘ” ନାମରେ ସଂଘର କର୍ମକର୍ତ୍ତା ଓ ପ୍ରତିନିଧିମାନେ ବସ୍ତା, ବାଲିଆପାଳ, ଜଳେଶ୍ୱର, ଭୋଗରାଇ ଆଦି ଅଞ୍ଚଳରେ ବୁଲିବୁଲି ବ୍ରାହ୍ମଣମାନଙ୍କୁ ଭେଟି ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ, ମନ୍ଦିରର ପୂଜକମାନଙ୍କୁ ମାସିକ ଦରମା ଓ ଭତ୍ତା ଆଦି ପ୍ରଦାନ କରାଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଅର୍ଥ ସଂଗ୍ରହ କରୁଥିବାର ଖବର ସମିତିର ଅନ୍ୟତମ ସଦସ୍ୟ କ୍ଷିତିଶ ଚନ୍ଦ୍ର ପଣ୍ଡା ସଭାରେ ଜଣାଇଥିଲେ । ବୈଠକରେ ସେ ବିଷୟରେ ବିଶେଷଭାବେ ଆଲୋଚନା କରାଯାଇ ସଂପୃକ୍ତ ସଂସ୍ଥା ବିଷୟରେ ସଠିକ ତଥ୍ୟ ସଂଗ୍ରହ ପୂର୍ବକ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାଲେଶ୍ୱର ଜିଲ୍ଳାର ଜିଲ୍ଲାପାଳ ମହୋଦୟଙ୍କୁ ସଭାଦ୍ୱାରା ଅନୁରୋଧ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. କ୍ଷିତିଶ୍ୱର ଦାଶ, କୃଷ୍ଣଚନ୍ଦ୍ର ପତି, ଶକ୍ତିପଦ ପଣ୍ଡା, ଲକ୍ଷ୍ମୀଧର ମହାପାତ୍ର, ହରେକୃଷ୍ଣ ପଣ୍ଡା, ବୁଦ୍ଧିରାମ ପାଣିଗ୍ରାହୀ, କ୍ଷିତିଶ ଚନ୍ଦ୍ର ପଣ୍ଡା, ରାଧାକୃଷ୍ଣ ଆଚାର୍ଯ୍ୟ ଓ ଶଙ୍କର୍ଷଣ ପାଣିଗ୍ରାହୀ ଆଲୋଚନାରେ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ । ଆଲୋଚନା ଅନ୍ତେ ପଣ୍ଡିତ ଶକ୍ତିପଦ ପଣ୍ଡା ଶାନ୍ତିପାଠ କରିଥିଲେ ଓ ସଭାପତିଙ୍କଦ୍ୱାରା ସଭାସାଙ୍ଗ ହୋଇଥିଲା ।


