ବାଲେଶ୍ୱର ଜିଲ୍ଲା ସଟଡାଉନ-ଆଜି ୫ଶହରୁ ଉର୍ଦ୍ଧ୍ୱ ନମୁନା ସଂଗ୍ରହ

ବାଲେଶ୍ୱର (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲାରେ କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଏପ୍ରିଲ ୨୬ତାରିଖ(ରବିବାର) ସକାଳ ୧୦ଘଟିକା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିବା ବେଳେ ଆଜି କିଛି ଜରୁରୀ ସେବା ବ୍ୟତୀତ ଜିଲ୍ଲାର ସମସ୍ତ ଅଫିସ, ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଯାଂଚ କରାଯିବା ସହିତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସଟଡାଉନ ସମୟରେ କୋଭିଡ-୧୯ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ୧୩ଟି ଟିମ୍ ଦ୍ୱାରା ୫୦୦ରୁ ଉର୍ଦ୍ଧ୍ୱ ସ୍ୱାବ ନମୁନା(ସାମ୍ପଲ) ସଂଗ୍ରହ ହୋଇପାରିଛି । ମୁଖ୍ୟତଃ ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ସୋର ବ୍ଲକରେ ଆଜି ନମୁନା ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ଗ୍ରାମ ପଂଚାୟତ ଏବଂ ସହରାଂଚଳରେ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କର ପଞ୍ଜୀକରଣ ପ୍ରକ୍ରିୟାରେ ବେଶ ଅଗ୍ରଗତି ହେବା ସହିତ ପଂଚାୟତଗୁଡିକରେ ଥିବା କ୍ୱାରାଂଟାଇନ ହୋମରେ ସେମାନଙ୍କୁ ରଖିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ଆକ୍ଟିଭ କଂଟାକ୍ଟ ଟ୍ରେସିଂ କରିବା ନିମନ୍ତେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା କଂଟେନମେଂଟ ଜୋନ ଏବଂ ବ୍ଲକରେ କରା ଯାଉଥିବା ସର୍ଭେ ଓ ସାମ୍ପଲ ସଂଗ୍ରହ କାମ ତ୍ୱରିତ ବେଗରେ ସମ୍ପନ୍ନ ହୋଇପାରିଛି । ଜରୁରୀ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପ ଲାଇନରେ ଯୋଗାଯୋଗ କରିବାକୁ କୁହାଯାଇଛି । କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସ.କେ.ବଶିଷ୍ଠଙ୍କୁ ବାଲେଶ୍ୱର ଜିଲ୍ଲାର ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ଥିତି ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ବି.ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଜନସାଧାରଣଙ୍କୁ ନିଜ ଘରେ ରହିବା ପାଇଁ କୁହାଯାଇଛି । ସଟଡାଉନ ଆଦେଶ ଏବଂ କଟକଣାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ