ବାଲେଶ୍ୱର ଜିଲ୍ଲା ସ୍କୁଲ୍ ଭୂସଂପତ୍ତି ସୁରକ୍ଷା ଦାବିରେ ଆସନ୍ତା ୧୪ରେ ପରିବର୍ଦ୍ଧିତ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାସ୍କୁଲ୍ ଭୂସଂପତ୍ତିର ସୁରକ୍ଷା ପାଇଁ ସିଭିଲ୍ ସୋସାଇଟିର ଏକ ପ୍ରତିନିଧି ଦଳ ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ସଂପାଦକ ମନୋଜ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁରପ୍ରକାଶଙ୍କୁ ସାକ୍ଷାତ କରି ରାଜସ୍ୱ ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ସହ ଆବଶ୍ୟକୀୟ ଦସ୍ତାବିଜ୍‌, ରାଜସ୍ୱ ବିଭାଗ ଚିଠି, ଗତ ୨୦୦୨ ମସିହାରେ ତତ୍‌କାଳୀନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖଙ୍କ ସ୍ୱାକ୍ଷର ସଂବଳିତ ସମସ୍ତ ରାଜିନାମାର ନକଲ ସଂଯୋଗ କରାଯାଇଛି । ବ୍ରିଟିଶ ଶାସନ କାଳରେ ଗତ ୧୮୫୩ ମସିହାରେ ପ୍ରତିଷ୍ଠିତ ବାଲେଶ୍ୱର ଜିଲ୍ଲାସ୍କୁଲ୍ ବର୍ତ୍ତମାନ ଅବସ୍ଥିତ ଥିବା ଜମି ଓ ଛାତ୍ରଛାତ୍ରୀ ବ୍ୟବହାର କରୁଥିବା ଖେଳ ପଡ଼ିଆର ସଂପତ୍ତି ଅଦ୍ୟାବଧି ସ୍କୁଲ୍ ନାମରେ ନଥିବାରୁ ଏହି ସଂପତ୍ତିକୁ ବେଆଇନ ଭାବେ କେତେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଦଖଲ କରିନେଇଥିବାର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ତୁରନ୍ତ ସ୍କୁଲ୍‌ର ୧୨ ଏକର ୬୧ ଡେସିମିଲ ଓ ଖେଳପଡ଼ିଆର ୪ ଏକର ୭୨ ଡେସିମିଲ୍ ଜମିକୁ ଚିହ୍ନଟ କରି ସ୍କୁଲ୍ ନାମରେ ଆବଶ୍ୟକୀୟ ପଟ୍ଟା ପ୍ରଦାନ ପାଇଁ ପ୍ରତିନିଧିମାନେ ଦାବି କରିଥିଲେ । ଗତ ଅଗଷ୍ଟ ୨୧ ତାରିଖରେ ସିଭିଲ୍ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦିଆଯାଇଥିôବା ଦାବିପତ୍ର ଉପରେ ଅଗଷ୍ଟ ୨୯ ତାରିଖରେ ପ୍ରଶାସନ ପକ୍ଷରୁ ସ୍କୁଲ୍‌ର ଖେଳ ପଡ଼ିଆ ମାପ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସ୍କୁଲ୍ କର୍ତ୍ତୃପକ୍ଷ କିମ୍ବା ସିଭିଲ୍ ସୋସାଇଟିକୁ ଫଳାଫଳ ଜଣାଇଯାଇନଥିବାର ପ୍ରତିନିଧିମାନେ ଅଭିଯୋଗ କରିଥିଲେ । ଯଦି ଏହି ଐତିହ୍ୟସଂପନ୍ନ ଶିକ୍ଷାନୁଷ୍ଠାନ ଭୂସଂପତ୍ତିର ସୁରକ୍ଷାପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ସିଭିଲ୍ ସୋସାଇଟି, ସ୍କୁଲ୍ ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ ଓ ଅଭିଭାବକମାନେ ମିଳିତ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି । ଏଥିପାଇଁ ଆସନ୍ତା ୧୪ ତାରିଖ ଶନିବାର ସନ୍ଧ୍ୟାରେ ଏକ ପରିବର୍ଦ୍ଧିତ ବୈଠକ ପାଇଁ ସିଭିଲ୍ ସୋସାଇଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ପ୍ରତିନିଧି ଦଳରେ ସିଭିଲ୍ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଓ ସୀତାରାମ ପ୍ରଧାନ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ସମେତ ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ମହମ୍ମଦ ଇକ୍‌ବାଲ୍‌, ଶ୍ରୀମତୀ କଲ୍ୟାଣୀ ନନ୍ଦ, ଶରତ ଚନ୍ଦ୍ର ଦଳାଇ, ହ୍ରିତିକ୍ ନାୟକ, ନନ୍ଦନ ପାଲ୍‌, ପୁଷ୍ପଲତା ଚକ୍ରବର୍ତ୍ତୀ ଓ କମଳାକାନ୍ତ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ