ବାଲେଶ୍ୱର ନୂଆ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଦେ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଜି ସେ ବିଦାୟୀ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୬ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସିନ୍ଦେ ଏହା ପୂର୍ବରୁ ବାଲିଗୁଡା ଉପଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଦେ ମହାରାଷ୍ଟ୍ର ରାଜ୍ୟ ଅହମଦନଗରର ବାସିନ୍ଦା ହୋଇଥିବା ବେଳେ ସେ ଇତିହାସରେ ସ୍ନାତକ ଡିଗ୍ରୀ ଲାଭ କରିଛନ୍ତି । କାର୍ଯ୍ୟରେ ଯୋଗଦାନ ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭବେଶ କୁମାର ନାୟକ, ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ସ୍ୱାଗତ ଜଣାଇଥିଲେ । ଏହା ପରେ ଜିଲ୍ଲାପାଳ ଶ୍ରୀ ସିନ୍ଦେ ଆଜି ସୋରରେ ଅନୁଷ୍ଠିତ ମିଳିତ ଜନଶୁଣାଣିରେ ଯୋଗ ଦେଇ ଜନସାଧାରଣଙ୍କ ଆପତି, ଅଭିଯୋଗ ଶୁଣିଥିଲେ । ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।


