ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଗଣସତ୍ୟାଗ୍ରହ
ବାଲେଶ୍ୱର, (ସରୋଜ ପଣ୍ଡା):ଆଇନଜୀବୀଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଉଚ୍ଚତମ ନ୍ୟାୟାଳୟଙ୍କ ଅଙ୍କୁଶ ଓ ରାଜ୍ୟରେ ୫ ବାର ଆସୋସିଏସନ ଅସିଦ୍ଧ ଘୋଷଣାକୁ ବିରୋଧ କରି ବାଲେଶ୍ୱର ଓକିଲ ସଂଘ ପକ୍ଷରୁ ସୋମବାର ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ଆଇନଜୀବୀ ମନୋଜ କୁମାର ନାୟକ ଓ ସମ୍ପାଦକ ସମ୍ବିତ ନନ୍ଦୀଙ୍କ ନେତୃତ୍ୱରେ ଜିଲା ଜଜଙ୍କ କୋର୍ଟ ସମ୍ମୁଖରେ ଆୟୋଜିତ ଧାରଣା କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତାଙ୍କ ସମେତ ବାଲେଶ୍ୱରର ବହୁ ବରିଷ୍ଠ ଓକିଲ ଯୋଗ ଦେଇଥିଲେ । ହକ ଆଦାୟ ପାଇଁ ଗଣତାନ୍ତ୍ରିକ ଉପାୟରେ ସତ୍ୟାଗ୍ରହ କରିବା ନାଗରିକର ମୌଳିକ ଅଧିକାର ହୋଇଥିବା ବେଳେ ଆଇନଜୀବୀଙ୍କ ଲାଇସେନ୍ସ ଓ ବାର ଆସୋସିଏସନକୁ ରଦ୍ଦ କରିବା କେଉଁ ନ୍ୟାୟରେ ବୋଲି ଆଇନଜୀବୀମାନେ ପ୍ରଶ୍ନ କରିଥିଲେ । ଏହା ସମ୍ବିଧାନର ୧୯ (କ)କୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ବୋଲି ସେମାନେ ଆରୋପ ଉଠାଇଥିଲେ । ଏହି ନିର୍ଦ୍ଦେଶର ପୁନର୍ବିଚାର ସହ ଏକ ସୁସ୍ଥ ବାତାବାରଣ ସୃଷ୍ଟି ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଆଜିର ଗଣସତ୍ୟାଗ୍ରରେ ଦାବି କରାଯାଇଛି । ଅନ୍ୟପକ୍ଷରେ ଧାରଣା ସ୍ଥଳରେ ଆସୋସିଏସନର ବ୍ୟାନରକୁ ପୁଲିସ ଛିଣ୍ଡାଇବାକୁ ନେଇ କର୍ମକର୍ତ୍ତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।