ବାଲେଶ୍ୱର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ପ୍ରଶାସନ ପକ୍ଷରୁ ଆଇଟିଆଇ ପଡ଼ିଆରେ ଆୟୋଜିତ ବାଲେଶ୍ୱର ମହୋତ୍ସବ ‘କୋଶମ୍ବ’ ଏବଂ ପଲ୍ଲିଶ୍ରୀ ମେଳା ଶୁକ୍ରବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମିଳିତ ଭାବେ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ଏହି ମହୋତ୍ସବ ବାଲେଶ୍ୱର ଜିଲା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ମହିଳା ସଶକ୍ତୀକରଣକୁ ଆଗକୁ ନେବାରେ ବେଶ ସହାୟକ ହୋଇଛି ବୋଲି ଦୁଇ ବିଧାୟକ ମତ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏହି ମହୋତ୍ସବ ବିଭିନ୍ନ ଲୋକାଭିମୁଖୀ ସରକାରୀ ଯୋଜନାର ପ୍ରଚାର ପ୍ରାସରର ମାଧ୍ୟମ ହୋଇଛି ବୋଲି ସେମାନେ କହିଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ସୁଚାରୁ ବଳ (ରାଜସ୍ୱ), ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏଥିରେ ମଞ୍ଚାସୀନ ହୋଇ ମେଳା ଆୟୋଜନର ଆଭିମୁଖ୍ୟ ଓ ଏହାର ସୁଦୂରପ୍ରସାରୀ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚହ୍ୱାନ ମୋତିରାମ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲା ପରିଷଦ ଉପ-ନିର୍ବାହୀ ଅଧିକାରୀ (ଓରମାସ) ଜିତେନ୍ଦ୍ର କୁମାର ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଦୁଇ ବିଧାୟକଙ୍କ ସମେତ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ଓ ଟାଟା ଫ୍ୟାରୋ ଆଲୋୟେଜର ଶ୍ୟାମସୁନ୍ଦର ଗୁପ୍ତାଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଚମକପଦ ନୃତ୍ୟ ସାଙ୍ଗକୁ ଦୀପ୍ତିରେଖା ପାଢ଼ୀ ଓ ଶଶାଙ୍କ ଶେଖରଙ୍କ ସୁଲଳିତ କଣ୍ଠର ଯାଦୁ ଦୀର୍ଘ ସମୟ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସଭାକାର୍ଯ୍ୟ ପୂର୍ବରୁ ଜିଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ମେଳାର ବିଭିନ୍ନ ବିଭାଗର ଷ୍ଟଲକୁ ଉଦଘାଟନ କରିଥିଲେ । ପଲିଶ୍ରୀ ମେଳାରେ ମୋଟ ୨୫୦ଟି ଷ୍ଟଲ ସ୍ଥାପନ କରାଯାଇଛି । ଏଥିରେ ୧୫୦ଟିରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶିତ ହେଉଥିବା ବେଳେ ୬୦ ଟି ଷ୍ଟଲରେ ଶିଳ୍ପାନୁଷ୍ଠାନ, ଅଟୋମୋବାଇଲ୍ସ ଓ ଲାଇନ ଡିପାର୍ଟମେଣ୍ଟ ଏବଂ ୪୦ଟିରେ କୃଷି ବିଭାଗର ଉତ୍ପାଦ ପ୍ରଦର୍ଶିତ ହେଉଛି । ଏହି ମହୋତ୍ସବ ଓ ମେଳା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ