ବାଲେଶ୍ୱର ଲୋକସଭା ଆସନରେ ‘କାଣ୍ଟେ କି ଟକ୍କର’
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ) ଚଳିତ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବାଲେଶ୍ୱରରେ ବିଭିନ୍ନ ରାଜନୈତିକ ଦଳଙ୍କ ରଣନୀତି ଓ ସମର ସଜ୍ଜା ଜିଲ୍ଲା ରାଜନୀତିକୁ ବେଶ୍ ସରଗରମ କରିବାରେ ଲାଗିଛି । ଜିଲ୍ଲାର ୮ ଗୋଟି ବିଧାନସଭା ଆସନ ତୁଳନାରେ ବାଲେଶ୍ୱର ଲୋକସଭା ପ୍ରାର୍ଥୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଥିବା ଲକ୍ଷ୍ୟ କରାଯାଇଛି । ଏହି ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନ ପାଇଁ ମୋଟ ୧୨ ଜଣ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ବି ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା, ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା ଦୌଡ଼ରେ ରହିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ୨୦୧୪ ମସିହା ନିର୍ବାଚନରେ ବାଲେଶ୍ୱର ଲୋକସଭାମଣ୍ଡଳୀର ୧୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୭ ପ୍ରତିଶତ ଅର୍ଥାତ ୧୦ଲକ୍ଷ ୪୯ ହଜାର ୮୬୧ ଭୋଟର ମତଦାନ କରିଥିଲେ । ତନ୍ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପ୍ରତି ଆସ୍ତା ପ୍ରକଟ କରି ରବୀନ୍ଦ୍ର କୁମାର ଜେନାଙ୍କୁ ଲୋକେ ୪୧.୩୩ ପ୍ରତିଶତ ଅର୍ଥାତ ୪ ଲକ୍ଷ ୩୩ ହଜାର ୭୬୮ ଖଣ୍ଡ ଭୋଟ ଦେଇ ନିର୍ବାଚିତ କରିଥିଲେ । ସଦର ଓ ରେମୁଣା ମଣ୍ଡଳୀ ବ୍ୟତୀତ ରବୀନ୍ଦ୍ରଙ୍କୁ ଅନ୍ୟ ୫ ଗୋଟି ବିଧାନସଭା କ୍ଷେତ୍ରରେ ସର୍ବାଧିକ ଭୋଟ ମିଳିଥିଲା । ମାତ୍ର ବିଗତ ୫ ବର୍ଷରେ ଜିଲ୍ଲାର ସେମିତି ଆଖିଦୃଶିଆ କାର୍ଯ୍ୟ କରି ନ ପାରି କେବଳ ସଂସଦର ଶୂନ୍ୟକାଳରେ ରେକର୍ଡ଼ ସଂଖ୍ୟକ ପ୍ରଶ୍ନ ପଚାରି ଲୋକଙ୍କ ଦୃଷ୍ଟିଆକର୍ଷଣ ପାଇଁ ସେ ଚେଷ୍ଟା କରିଥିଲେ । ଚଳିତ ନିର୍ବାଚନରେ ରାଜ୍ୟର ବିଜେଡି ସରକାରଙ୍କ ବିକାଶର ନାରା ଓ କାଳିଆ ଯୋଜନାର ସମସ୍ତଙ୍କୁ ଆର୍ଥକ ସହାୟତାର ପ୍ରତିଶ୍ରୁତି ପ୍ରତି ଲୋକଙ୍କ ବିମୁଖତା ରବୀନ୍ଦ୍ରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଅନ୍ୟ କୌଣସି ଉପାୟ ନପାଇ ସ୍ୱପ୍ନର ସୌଦାଗର ଭାବେ ଶେଷରେ ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା ଓ ରିଙ୍ଗରୋଡ଼ ନିର୍ମାଣର ସ୍ୱପ୍ନ ଦେଖାଇ ସେ ଲୋକଙ୍କ ସମର୍ଥନ ପାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ଗତ ନିର୍ବାଚର୍ନରେ ୨୭.୮୧ ପ୍ରତିଶତ ଅର୍ଥାତ ୨ ଲକ୍ଷ ୯୧ ହଜାର ୯୪୩ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବିଜେପିର ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏଥର ପ୍ରାର୍ଥୀ ହୋଇ ଜୋରଦାର ପ୍ରଚାର ଚଳାଇଥିଲା ଲକ୍ଷ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଂଜିନର ସରକାର ପ୍ରତି ଲୋକଙ୍କ ବଢ଼ିଥିବା ବିଶ୍ୱାସ ଓ ଭରସାକୁ ପାଥେୟ କରି ସେ ନିର୍ବାଚନ ବୈତରଣୀ ଅନାୟସରେ ପାରି ହେବାକୁ ଉଦ୍ୟମ ଜାରି ରଖିଛନ୍ତି । ଚଳିତ ନିର୍ବାଚନ ପୂର୍ବରୁ ବସ୍ତା, ଜଳେଶ୍ୱର ଓ ନୀଳଗିରି ବିଧାନସଭାମଣ୍ଡଳୀର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଏବଂ ବିଜେଡି ବିଧାୟକ ସୁକାନ୍ତ ନାୟକଙ୍କ ବିଜେପିର ଯୋଗଦାନ ଶ୍ରୀ ଷଡ଼ଙ୍ଗୀଙ୍କୁ ଅଧିକ ଶକ୍ତିଶାଳୀ କରିଛି । ବଡ଼ସାହି, ବସ୍ତା, ଜଳେଶ୍ୱର ଓ ନୀଳଗିରିରେ ବିଜେପିର ସୁଦୃଢ଼ ସଂଗଠନ ଚଳିତ ନିର୍ବାଚନରେ ପ୍ରତାପଙ୍କ ବିଜୟକୁ ଏକପ୍ରକାର ନିଶ୍ଚିତ କରିଛି । ଅନ୍ୟାୟ ବିରୋଧରେ ଅହରହ ସଂଗ୍ରାମ ଓ ସ୍ପଷ୍ଟବାଦିତା ହିଁ ଏଥିର ପ୍ରତାପଙ୍କୁ ବିଜୟ ତିଳକ ପିନ୍ଧାଇବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ଗତ ନିର୍ବାଚନରେ ୨୬.୪୪ ଅର୍ଥାତ ୨ଲକ୍ଷ ୭୭ ହଜାର ୫୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବଦଳରେ ଚଳିତ ନିର୍ବାଚନରେ ପିସିସି ସଭାପତିଙ୍କ ପୁତ୍ର ତଥା ରାଜନୀତିର ନବାଗତ ନବଜ୍ୟୋତି ପଟ୍ଟନାୟକ ଏଥର ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ବିଗତ ୫ ବର୍ଷ ମଧ୍ୟରେ କର୍ମୀଶୂନ୍ୟ ହୋଇଯାଇଥିବା ବାଲେଶ୍ୱର କଂଗ୍ରେସର ସଂଗଠନକୁ କିପରି ଆଗକୁ ନେବେ ସେ କିଛି କୁଳ କିନାରା ପାଉ ନାହାନ୍ତି । ଅନ୍ୟ ଉପାୟ ନ ପାଇ ଶେଷରେ ନବଜ୍ୟୋତି ଦିଲ୍ଲୀର ଏକ ଘରୋଇ ଏଜେନ୍ସି ଜରିଆରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଚଳାଇ ରଖିଥିବା ଦେଖିବାକୁ ମିଳିଛି । ପ୍ରତିଦ୍ୱନ୍ଦ୍ୱୀ ଦୌଡ଼ରେ ରହି କୌଣସିମତେ ନିଜର ଅମାନତ ରଖି ଭବିଷ୍ୟତ ପାଇଁ ପଥ ପରିଷ୍କାର କରିବା ଚେଷ୍ଟାରେ ଲାଗିଛନ୍ତି ସେ । କଂଗ୍ରେସର ପକେଟ୍ ଭୋଟକୁ ଆଶ୍ରା କରି ସନ୍ତୋଷ ଜନକ ସ୍ଥିତିରେ ରହିବାକୁ ସେ ମଧ୍ୟ ଉଦ୍ୟମ ଚଳାଇଛନ୍ତି । ତେବେ ଚଳିତ ନିର୍ବାଚନରେ ବିଜେପିର ପ୍ରତାପ ଓ ବିଜେଡିର ରବୀନ୍ଦ୍ରଙ୍କ ମଧ୍ୟରେ ହେଉଥିବା କଡ଼ା ଟକ୍କରକୁ ନେଇ ଏବେ ସବୁଠାରେ ଜୋରାଦାରା ଆଲୋଚନା ଚାଲିଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରୀୟ ନେତାଙ୍କ ବାଲେଶ୍ୱର ଗସ୍ତ ପ୍ରତାପଙ୍କ ବିଜୟକୁ କେତେ ଦୃଢ଼ୀଭୁତ କରିବ ତାହା କେବଳ ଦେଖିବାକୁ ବାକି ରହିଛି ।


