ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନରେ ପୋଷ୍ଟାଲ ବାଲଟ୍ ସୁବିଧା
ବାଲେଶ୍ୱର,(ସରୋଜ କୁମାର ପଣ୍ଡା): ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନରେ ନିର୍ଦ୍ଦିଷ୍ଟ କିଛି ବର୍ଗର ବ୍ୟକ୍ତି ବିଶେଷଙ୍କୁ ପୋଷ୍ଟାଲ ବାଲଟ୍ ସୁବିଧା ଯୋଗାଇ ଦିଆଯିବ । ଏ ସଂକ୍ରାନ୍ତରେ ଭାରତର ନିର୍ବାଚନ କମିଶନ ମାର୍ଗଦର୍ଶିକା ଜାରି କରିଛନ୍ତି । ପୂର୍ବରୁ କେବଳ ସରକାରୀ କର୍ମଚାରୀ ଏବଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ମିଳୁଥିବା ବେଳେ ବର୍ତମାନ ଆହୁରି ତିନୋଟି ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । କୋଭିଡ-୧୯ ନିମନ୍ତେ ସତର୍କତା ଅବଲମ୍ବନ ପୂର୍ବକ ଏହି ତିନୋଟି ବର୍ଗର ମତ ଦାତା ମାନଙ୍କୁ ପୋଷ୍ଟାଲ ବାଲଟ୍ ଜରିଆରେ ମତଦାନ କରିବା ପାଇଁ ନିର୍ବାଚନ କମିଶନ ଅନୁମତି ପ୍ରଦାନ କରିଛନ୍ତି । ଏହି ତିନୋଟି ବର୍ଗ ହେଲେ, ବରିଷ୍ଠ ନାଗରିକ (୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ),ଦିବ୍ୟାଙ୍ଗ ବ୍ୟକ୍ତି ଯାହାଙ୍କ ନାମ ମତଦାତା ସୂଚୀରେ ଚିହ୍ନିତ ହୋଇଥିବ, କୋଭିଡ୍-୧୯ରେ ଆକ୍ରାନ୍ତ ବା କୋଭିଡ-୧୯ରେ ପୀଡିତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବ୍ୟକ୍ତିବିଶେଷ, ଉପରୋକ୍ତ ତିନି ଶ୍ରେଣୀର ମତଦାତାମାନଙ୍କୁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବା ପାଇଁ ଫର୍ମ-୧୨ଘ (୧୨ଊ) ରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଆବେଦନ କରିବାକୁ ପଡିବ । ଏହି ଫର୍ମ ବୁଥସ୍ତରୀୟ ଅଧିକାରୀ (ବି.ଏଲ.ଓ) ମାନେ ବଣ୍ଟନ କରିବେ । ଏହି ତିନି ଶ୍ରେଣୀର ମତ ଦାତା ମାନେ ଫର୍ମ ପୂରଣ କରି ବି.ଏଲ.ଓ.ମାନଙ୍କୁ ଫେରସ୍ତ କରିବେ । ଏହା ପରେ ସେମାନଙ୍କ ନାମରେ ପୋଷ୍ଟାଲ ବାଲଟ୍ ଜାରି କରାଯିବ । ଦ୍ୱିତୀୟରେ ପୋଷ୍ଟାଲ ବାଲଟ୍ଗୁଡିକୁ ଏହି ତିନି ଶ୍ରେଣୀର ମତ ଦାତାଙ୍କ ପାଖରେ ଜଣେ ବି.ଏଲ.ଓ. ବା ଅନ୍ୟାନ୍ୟ ଅଧିକାରୀଙ୍କ ଜରିଆରେ ସେମାନଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯିବ, ଯେଉଁଥିରେ ସେମାନେ ମତଦାନ କରିବା ସହିତ ଲଫାପାରେ ସିଲ୍ କରି ସମ୍ପୃକ୍ତ ଅଧିକାରୀ ମାନଙ୍କ ମାଧ୍ୟମରେ ଫେରାଇ ପାରିବେ । ତାଙ୍କ ଘରକୁ ଅଧିକାରୀ ମାନେ ଯାଇ ଏହାକୁ ସଂଗ୍ରହ କରିିବେ । ପୋଷ୍ଟାଲ ବାଲଟ୍ ଗ୍ରହଣ କରିବା ପାଇଁ ବି.ଏଲ.ଓ. କିମ୍ବା ଅନ୍ୟାନ୍ୟ ଅଧିକାରୀମାନେ ୨ଥର ମତ ଦାତାଙ୍କ ଘରକୁ ଯିବେ । ସେହି ୨ ଥର ମଧ୍ୟରେ ମତ ଦାତା ମାନେ ତାଙ୍କର ପୋଷ୍ଟାଲ ବାଲଟ୍ ପୂରଣ କରି ଫେରସ୍ତ କରିବା କାର୍ଯ୍ୟ ଯେପରି ସମାପନ କରିବେ, ତାହାକୁ ସୁନିଶ୍ଚିତ କରିବେ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ବାଲେଶ୍ୱରଙ୍କ ତରଫରୁ ମତ ଦାତା ମାନଙ୍କୁ ସୂଚୀତ କରାଯାଉଛି ଯେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବା ବାଧ୍ୟତାମୂଳକ ନୁହେଁ । ଦ୍ୱିତୀୟତଃ ଏହା ମଧ୍ୟ ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ ଥରେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ ପାଇଁ ସମ୍ମତି ପ୍ରଦାନ କରିବା ପରେ ସେହି ବ୍ୟକ୍ତି ବିଶେଷ ପୋଲିଂ ବୁଥରେ ଯାଇ ଭୋଟ୍ ଦେଇପାରିବେ ନାହିଁ । ନିର୍ବାଚନ ପାଇଁ ବିଜ୍ଞପ୍ତି ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ ପୋଷ୍ଟାଲ ବାଲଟ୍ ପାଇଁ ଫର୍ମ-୧୨ଘ (୧୨ଊ) କୁ ବୁଥସ୍ତରୀୟ ଅଧିକାରୀ (ବି.ଏଲ.ଓ) ବା ଅନ୍ୟାନ୍ୟ ଅଧିକାରୀ ୯ ତାରିଖରୁ ୧୩ ତାରିଖ ମଧ୍ୟରେ ଉପର ବର୍ଣ୍ଣିତ ବର୍ଗର ମତ ଦାତା ମାନଙ୍କୁ ବଣ୍ଟନ କରିବା ସହ ଦରଖାସ୍ତଗୁଡିକୁ ସଂଗ୍ରହ କରିବେ । ପୋଷ୍ଟାଲ ବାଲଟ୍ ବ୍ୟବସ୍ଥାର ସୁପରିଚାଳନା ପାଇଁ ନୀଳଗିରି ଉପ-ଜିଲ୍ଲାପାଳ ଶ୍ରୀ ହରିଶ ଚନ୍ଦ୍ର ଜେନାଙ୍କୁ ନୋଡାଲ୍ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ଏ ସମ୍ପର୍କରେ କୌଣସି ସନ୍ଦେହ ଥିଲେ ତାଙ୍କ ମୋ. ନମ୍ବର-୯୪୩୭୧୭୪୫୧୩ ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।


