ବାଲେଶ୍ୱର ସାଇବର ଥାନା ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :ରାଜ୍ୟରେ ବଢ଼ୁଥିବା ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରୁ ବୁଧବାର ବାଲେଶ୍ୱର ସମେତ ୧୪ ଗୋଟି ସାଇବର ଥାନାକୁ ଆଭାସିରେ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓସୁଆନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ(ଆଇଜି) ହିମାଂଶୁ ଲାଲ, ଜିଲା ଆରକ୍ଷୀ ଅଧୀକ୍ଷକ ଶୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆଭାସିରେ ୧୪ ଗୋଟି ସାଇବର ଥାନା ଉଦଘାଟନ କରିବା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ସଦର ବିଧାୟକ ଶ୍ରୀ ଦାସ ଓସୁଆନ ଭବନରେ ଥାନା ଫଳକକୁ ଅନାବରଣ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ବୃଦ୍ଧି ପାଉଥିବା ସାଇବର ଅପରାଧ ରୋକିବାରେ ଏହି ଥାନା ବିଶେଷ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମୟୋପଯୋଗୀ ନିଷ୍ପତ୍ତି ରାଜ୍ୟବାସୀଙ୍କ ସୁରକ୍ଷା ସାଙ୍ଗକୁ ଓଡ଼ିଶା ପୁଲିସକୁ ଅଧିକ କ୍ରିୟାଶୀଳ କରିବ ବୋଲି ବିଧାୟକ ଶ୍ରୀ ଦାସ ଆଶା ପ୍ରକଟ କରିଥିଲେ । ଏହି ଥାନା ଅର୍ଥନୈତିକ ଅପରାଧ ସାଙ୍ଗକୁ ଅନ୍ୟାନ୍ୟ ସାଇବର ଅପରାଧ ରୋକିବାକୁ ରାଜ୍ୟ ପୁଲିସ ଆଧୁନୀକରଣର ଏହା ନୂତନ ସ୍ୱରୂପ ବୋଲି ଆଇଜି ହିମାଂଶୁ ଲାଲ କହିଛନ୍ତି । ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ନିୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଥାନା କେବଳ ସହର ନୁହେଁ ବରଂ ସମଗ୍ର ଜିଲାର ସାଇବର ଅପରାଧ ନିୟନ୍ତ୍ରଣ କରିବ ବୋଲି ଏସପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଜଣେ ଇନସ୍ପେକ୍ଟର ସମେତ ୨ ଜଣ ସବ-ଇନସ୍ପେକ୍ଟର, ୨ ଜଣ ଏଏସଆଇ ଓ ୪ ଜଣ କନଷ୍ଟେବଳଙ୍କୁ ଏଥିରେ ନିଯୁକ୍ତି କରାଯାଇଛି । ବିଶେଷ କରି କମ୍ପ୍ୟୁଟର ଓ ଇଣ୍ଟରନେଟ ବ୍ୟବହାରରେ ଦକ୍ଷତା ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏହି ଥାନା ପାଇଁ ଚୟନ କରାଯାଇଛି । ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି ବୋଲି ଏସପି ଶ୍ରୀ ମିଶ୍ର କହିଛନ୍ତିି । ସଦର ଏସଡିପିଓ ଅଫିସ ସମ୍ମୁଖରେ ଏହି ସାଇବର ଥାନା ଏବେ ଆରମ୍ଭ ହୋଇଛି ।