ବାଲେଶ୍ୱର ସିଭିଲ୍ ସୋସାଇଟିର ୧୧ଶ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୮ ତାରିଖ ରବିବାର ଦିନ ସିଭିଲ୍ ସୋସାଇଟିର ଏକାଦଶ ବାର୍ଷିକ ସମ୍ମିଳନୀର ସଫଳତା ପାଇଁ ମଙ୍ଗଳବାର ଅପରାହ୍ନରେ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ ନିଗମ କର୍ମଚାରୀ ଭବନରେ ଅନୁଷ୍ଠିତ ବୈଠକରେ ବ୍ୟାପକ କାର୍ଯ୍ୟକ୍ରମ ଗୃହୀତ ହୋଇଅଛି । ଉକ୍ତଦିନ ପୂର୍ବାହ୍ନ ୧୦ଟା ସମୟରେ ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ପରିସରରେ ସମ୍ମିଳନୀର ଉଦ୍ଘାଟନ ଓ ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହେବ । ପ୍ରତିନିଧି ଅଧିବେଶନରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଜନସମସ୍ୟା ସଂପର୍କରେ ସବିଶେଷ ଆଲୋଚନା ହୋଇ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯିବ । ଅପରାହ୍ନ ୪ଟା ବେଳେ ପୋଲିସ୍ ଲାଇନ୍ ଛକ ନିକଟସ୍ଥ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଶ୍ୱର୍ରେ ଜନସଭା ଅନୁଷ୍ଠିତ ହେବ । ଏହି ସଭାରେ ଜାତୀୟ ଓ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଓ ବିଭିନ୍ନ ଜନଆନ୍ଦୋଳନରେ ନେତୃତ୍ୱ ଅତିଥି ଓ ବକ୍ତା ଭାବେ ଯୋଗ ଦେବେ । ଆସନ୍ତା ୨୩ ତାରିଖ ଦିନ ୧୦ଟାରେ ସୋସାଇଟି ପକ୍ଷରୁ ନେତାଜୀ ଜୟନ୍ତୀ ଓ ସମ୍ମିଳନୀର ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ମନୋଜ ନାୟକ, ସମ୍ମିଳନୀର ବିଶଦ କାର୍ଯ୍ୟସୂଚୀ ଉପସ୍ଥାପିତ କରିଥିଲେ । ସମ୍ମିଳନୀର ସମସ୍ତ କାର୍ଯ୍ୟକ୍ରମ ସଫଳ କରିବାକୁ ଶ୍ରୀ ନାୟକ ବୈଠକରେ ନିବେଦନ କରିଥିଲେ । ଏହି ବୈଠକରେ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତିଙ୍କ ସମେତ ସୀତାରାମ ପ୍ରଧାନ, ବଂଶୀଧର ଦଳେଇ, ଅରୁଣ ଜେନା ନନ୍ଦନ ପାଲ, ସାଜନ ସାହା, ଜ୍ୟୋତ୍ସ୍ନା ସେନାପତି, ପରମାନନ୍ଦ ପଣ୍ଡା, ତପନ ସିଟ୍, ଗଣେଶ୍ୱର ରାଉତ, ସୁରେନ୍ଦ୍ରନାଥ ପଣ୍ଡା, ପ୍ରଶାନ୍ତ ପାଢ଼ୀ, ଜ୍ଞାନାନନ୍ଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ଦଳେଇ, ବିଜୟ କୁମାର ବେହେରା, ତାପସ କୁମାର, ଗୌରହରି ରାଉଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।


