ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜଣେ ନାବାଳିକାଙ୍କୁ ବାଲ୍ୟ ବିବାହ କରିବା ପାଇଁ ସ୍ଥିର କରାଯାଇଥିଲା । ଏହାର ଖବର ପ୍ରଶାସନ ପାଇବା ପରେ ସମ୍ପୃକ୍ତ ପରିବାରଙ୍କୁ ସଚେତନ କରାଯିବା ସହ ନାବାଳିକାର ବାଲ୍ୟ ବିବାହକୁ ବନ୍ଦ କରାଯାଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ ବ୍ଲକର ଆଲାଝୋଲ ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟାବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ରାୟଗଡ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଟେରେସ୍କୋଭା ମଲ୍ଲିକ ଜାଣିବାକୁ ପାଇ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ । ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ରେ ଆଇସିଡିଏସ୍ ସୁପରଭାଇଜର୍ ନମିତା ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଡି. ମଲ୍ଲିକ, ସଖୀ ୱାନ ଷ୍ଟପ ସେଣ୍ଟରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ, ଆକ୍ସନ ଏଡ୍ର ଜିଲ୍ଲା ପ୍ରତିନିଧି ବିକାଶ କୁମାର ମହେର ଏବଂ ଚାଇଲ୍ଡଲାଇନର ସଦସ୍ୟ ଟି.ସୁରେଶ କୁମାର ଓ ଭେଙ୍କେଟେଶ ସେନାପତି ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ । ଏହାପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା । ଗ୍ରାମବାସୀଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି । ଟାସ୍କଫୋର୍ସ ଦ୍ୱାରା ଝିଅକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥିତ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ୱାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।