ବାଲ୍ୟ ବିବାହ ଅଭିଯୋଗ, ଥାନାରେ ଏତାଲା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ଶେରଗଡ଼ ବ୍ଳକର ଜଣେ ସାବାଳକ ସହ ସାନଖେମୁଣ୍ଡି ବ୍ଳକର ଜଣେ ନାବାଳିକା ସହ ଗତ ଜାନୁୟାରୀ ୨୯ ତାରିଖରେ ବାହାଘର ହୋଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଚାଇଲ୍ଡ ଲାଇନ୍ ଏ ନେଇ ଚିଠି ନଂ- ୨୭୧/୩୦.୦୧.୨୦ ଏବଂ ସାନଖେମୁଣ୍ଡି ସିଡ଼ିପିଓ ଙ୍କ ଚିଠି ନଂ- ୧୩୬/୨୪.୦୨.୨୦ରେ ଘଟଣାର ତଦନ୍ତ କରିବା ସକାଶେ ଚିଠି କରାଯାଇଥିଲା । ଘଟଣା ନେଇ ବ୍ରହ୍ମପୁର ଚାଇଲ୍ଡ ଲାଇନ ଅଧିକାରୀଙ୍କ ସମେତ ଶେରଗଡ଼ ଓ ସାନଖେମୁଣ୍ଡି ସିଡ଼ିପିଓ ବର ପିତାଙ୍କ ବାସଭବନକୁ ଯାଇ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ସମୟରେ ବରପିତା, ବୋହୁର ବୟସ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୋଲି ଜଣାଇଥିଲେ । ବୟସ ପ୍ରମାଣପତ୍ର ଦେଖାଇବା ପାଇଁ କହିବାରୁ ବରପିତା ଏଥି ସକାଶେ ୧୦ ଦିନ ସମୟ ମାଗିଥିଲେ । ୧୦ ଦିନ ସମୟ ଅତିବାହିତ ହୋଇଥିଲେ ମଧ୍ୟ ବରପିତା ଏ ନେଇ ବୋହୁଙ୍କ ବୟସ ପ୍ରମାଣପତ୍ର ଦେଖାଇ ପାରିବାରୁ ଶନିବାର ବ୍ରହ୍ମପୁର ଚାଇଲ୍ଡ ଲାଇନ୍ କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ, ଶେରଗଡ଼ ସିଡ଼ିପିଓ ଜୟନ୍ତି ପାଟଖୁଙ୍ଗିୟା, ସାନଖେମୁଣ୍ଡି ଭାରପ୍ରାପ୍ତ ସିଡ଼ିପିଓ ସରୋଜିନି ବେହେରା, ସୁପରଭାଇଜର ଉମାରାଣି ବେହେରା ପ୍ରମୁଖ କନ୍ୟା ଶିକ୍ଷା ଅଧ୍ୟୟନ କରୁଥିବା ବିଦ୍ୟାଳୟରେ ପଂହଚି ବୟସ ପ୍ରମାଣ ପତ୍ର ଯାଂଚ କରିଥିଲେ । ଯାଂଚ ସମୟରେ କନ୍ୟା ଜଣକ ନାବାଳିକା ଏବଂ ବୟସ ୧୭ ବର୍ଷ ବୋଲି ଜଣାପଡ଼ିଥିଲା । ପ୍ରମାଣ ପାଇବା ପରେ ନାବାଳିକାଙ୍କ ପିତା ଓ ବର ପିତାଙ୍କ ବିରୁଦ୍ଧରେ ଶନିବାର ହିଂଜିଳି ଥାନାରେ ଆଇନ ଅବମାନନା ନେଇ ଶେରଗଡ଼ ସିଡ଼ିପିଓ ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଂଜିଳି ଥାନା ନଂ- ୮୬/୨୦ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୃୁ ଦାସ କହିଛନ୍ତି ।