ବାଲ୍ୟ ବିବାହ ନିଷେଧ ଅଧିନିୟମ -୨୦୦୬ ସମ୍ପର୍କିତ କର୍ମଶାଳା
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ବାଲ୍ୟ ବିବାହ ନିଷେଧ ଅଧିନିୟମ -୨୦୦୬ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶିଶୀର କୁମାର ରାଉତରାତୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଆକ୍ସନଏଡ ସ୍ୱେଛାସେବୀ ଅନୁଷ୍ଠାନର ଜାତୀୟ ପରିଚାଳକ ଘାସିରାମ ପଣ୍ଡା ବାଲ୍ୟ ବିବାହ ନିଷେଧ ଆଇନ -୨୦୦୬ ସମ୍ପର୍କିତ କାର୍ଯ୍ୟକ୍ରମ,ବାଲ୍ୟ ବିବାହ ଦ୍ୱାରା ଶରିରୀକ,ମାନସିକ,ସାମାଜିକ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସଂଯୋଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ସହଯୋଗ କରିଥିଲେ । ଅତିଥିମାନେ ବାଲ୍ୟ ବିବାହ ଦ୍ୱାରା ବର ଓ କନ୍ୟାର ସମସ୍ୟା,ସାମାଜିକ କ୍ଷତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଆମ ରାଜ୍ୟରେ ଶତକଡା ୨୧ ଭାଗ ଏବେବି ବାଲ୍ୟ ବିବାହ ହେଉଥିବା ଏବଂ ୧୮ବର୍ଷ ବୟସରୁ କମ ବାଳିକା ଓ ୨୧ବର୍ଷ ବୟସରୁ କମ ବାଳକର ବିବାହ ହେଉଥିବା ସମ୍ପର୍କରେ ଉଲ୍ଲେଖ କରାଯାଇ ଏହାକୁ ବନ୍ଦ କରାଯିବାକୁ ସଚେତନତା ଆବଶ୍ୟକ ବୋଲି ମତପ୍ରକାଶ କରାଯାଇଥିଲା । ଜିଲ୍ଲାର ରାଜନଗର ଓ ମହାକାଳପଡା ବ୍ଲକର ବଙ୍ଗୀୟ ଅଧୁସିତ ଅଂଚଳରେ ଏଭଳି ବିବାହ ହେଉଥିବା ତଥ୍ୟରୁ ଜଣାପଡିଛି । ବାଲ୍ୟ ବିବାହ କରୁଥିବା ଝିଅ ଶାରୀରିକ ଦୃଷ୍ଟିରୁ ଦୁର୍ବଳ ହେଉଥିବା ବେଳେ ତା’ର ସ୍ୱାସ୍ଥ୍ୟ ହାନୀ ଘଟେ । ଅଳ୍ପ ବୟସରେ ଗର୍ଭବତୀ ହେଉଥିବାରୁ ପ୍ରସବ ସମୟରେ ଉଭୟ ମା ଓ ଶିଶୁର ମୃତ୍ୟୁ ମଧ୍ୟ ହୋଇଥାଏ । ଏଭଳି ବିବାହ ଦ୍ୱାରା ଜନ୍ମିତ ଶିଶୁଟି ଅପପୃଷ୍ଟି ଓ ରକ୍ତହୀନତାର ଶୀକାର ହୁଏ । ଝିଅଟିର ପାଠପଢାରେ ବ୍ୟାହତ ହୋଇଥାଏ । ଅଳ୍ପ ବୟସର ପୁଅଟି ଉପରେ ପରିବାର ଚଳେବାର ବୋଝ ପଡିଥାଏ ଓ ତା’ର ପାଠପଢା ବ୍ୟାହତ ହେବା ସହ ମାନସିକ ଅବସାଦ ଘଟେ । ତେଣୁ ଆମରାଜ୍ୟରେ ବାଲ୍ୟ ବିବାହ ନିଷେଧ ଆଇନ -୨୦୦୬ ଓ ବାଲ୍ୟ ବିବାହ ନିଷେଧ ନିୟମାବଳି -୨୦୦୯ ପ୍ରଣୟନ କରାଯାଇଛି । ୨୦୩୦ସୁଦ୍ଧା ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବିଲୋପ ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ । ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ,ଶିକ୍ଷକଶିକ୍ଷୟତ୍ରୀ ଓ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।