ବାଲ୍ୟ ବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବଡ଼ ମାଜିଗା ସାହିରେ ଆଗାମୀ ଦିନରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ବାଲ୍ୟ ବିବାହ ସମ୍ପର୍କରେ ବିଶ୍ଵସ୍ଥ ସୂତ୍ରରୁ ଗୋଶାଣି ବ୍ଲକ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୋୖରୀ ନାୟକ ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ । ଏହା ପରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଏକ ଟିମ ଗଠନ କରାଯାଇଥିଲା , ଉକ୍ତ ଟିମରେ ସିଡ଼ିପିଓ ଗୋୖରୀ ନାୟକ, ମହିଳା ସୁପରଭାଇଜର ଶ୍ରୀମତୀ ଅମିତା ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷଣ ଅଧିକାରୀ ଜୟ ପ୍ରକାଶ ବାଡ଼ତ୍ୟା, ସଖୀ ୱାନ ଷ୍ଟପ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଆକ୍ସନ ଏଡ଼ ର ଜିଲ୍ଲା ପ୍ରତିନିଧି ବିକାଶ କୁମାର ମେହେର, ଚାଇଲଡ଼ ଲାଇନର ସଦସ୍ୟ ତପସ୍ୱିନୀ ନାୟକ ଏବଂ ପୋଲିସ ଅଧିକାରିଣୀ ଗିରିଜା ପାଣିଗ୍ରାହୀ ପ୍ରଭୃତି ଉକ୍ତ ସ୍ଥାନକୁ ଯାଇ ହେବାକୁ ଥିବା ବାଲ୍ୟ ବିବାହ କୁ ସ୍ଥଗିତ କରିଥିଲେ । ଏହା ପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା । ଅଭିଭାବକ ଙ୍କୁ ବାଲ୍ୟ ବିବାହର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଇଥିଲେ । ସାହି ବାସିନ୍ଦାଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ ବର୍ଷ ପୂରଣ ନ ହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି । ତେବେ ଝିଅଟି କୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ ଦ୍ୱାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।