ବାଳମୁକୁନ୍ଦ କେନ୍ଦ୍ର ଯୋଜନା ମାଧ୍ୟମରେ ଭାବଯୁକ୍ତ ଭକ୍ତି କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜଗଦଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଦର୍ଶନ ତଥା ବାଳମୁକୁନ୍ଦ କେନ୍ଦ୍ରର ଯୋଜନା ଶିଶୁଙ୍କ ମନରେ ଭକ୍ତିଭାବ,ସ୍ୱାଭିମାନ, ଦୟାତ୍ଵବୋଧ ଏବଂ ଆତ୍ମ ପ୍ରକାଶ କୁଶଳତା ଆଦିଗୁଣର ବିକାଶ ନିମନ୍ତେ କାର୍ଯ୍ୟାନ୍ୱିତ ହୋଇଥାଏ. ଏହାକୁ ଆଧାର କରି ବାଳମୁକୁନ୍ଦ କେନ୍ଦ୍ର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥିଭାବେ ଶିଶୁପ୍ରେମୀ ଦୁର୍ଗପତି ଜୁରିଆ ବେହେରା ଯୋଗଦେଇ ଐତିହ ପରିଛା ମଠ ପରିଭ୍ରମଣ ପରେ ଗଣିତ ଓ ପରିବେଶ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରି ପ୍ରତିଦିନ ଜୀବନରେ ବ୍ୟବହାର ସମ୍ପର୍କରେ ଶିଶୁମାନଙ୍କୁ ବୁଝାଇ କାର୍ଯ୍ୟକ୍ରମର ମୁଖ୍ୟ ବିଷୟଗୁଡିକ ଆଲୋଚନା କରିଥିଲେ. ପରବର୍ତ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ଭାଗବତ ପାଢ଼ୀ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ଅବଗତ କରାଇଥିଲେ. କେନ୍ଦ୍ରର ଆଚାର୍ଯ୍ୟା ନୃତ୍ୟଶିଳ୍ପୀ ଡ଼ି ପ୍ରିୟଙ୍କା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଚାର୍ଯ୍ୟ ଚିତ୍ରଶିଳ୍ପୀ ମୁରଲୀଧର ପରିଛା ମୁଖ୍ୟ ଅତିଥିଙ୍କୁ ପ୍ରଜ୍ଞା ପୁରୁଷ ନାଟ୍ୟକାର ଆପନ୍ନା ପରିଛାଙ୍କ ପ୍ରକାଶିତ ପୁସ୍ତକଗୁଡିକ ପ୍ରଦାନ କରିଥିଲେ. ଏଥିରେ ସତସଙ୍ଗୀ ଜାନକୀ ଚରଣ ବେହେରା ସହଯୋଗ କରିଥିବାବେଳେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଜନ୍ମଦିବସରେ କେନ୍ଦ୍ର ତରଫରୁ ଭକ୍ତିପୂତ ପ୍ରଣାମ ଏବଂ ଅଭିନନ୍ଦନ ଜଣାଇଥିଲେ.


