ବାସନ୍ଦ ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ ଦେବାକୁ କମିଶନଙ୍କ ନିର୍ଦ୍ଦେଶ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ବାରମ୍ବାର ଅଭିଯୋଗ ସତ୍ତେ୍ୱ ଦୀର୍ଘଦିନ ଧରି ବାସନ୍ଦ ଥିବା ୧୪ ଗୋପାଳ ପରିବାରକୁ ସୁରକ୍ଷା ଦେବାରେ ପୁରୀ ଜିଲ୍ଲା ପ୍ରଶାସନର ଅବହେଳା ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରତ୍ୟେକ ବାସନ୍ଦ ପରିବାରକୁ ସେମାନଙ୍କର ମାନବାଧିକାର କ୍ଷୁଣ୍ଣ ହେବା କାରଣରୁ ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ ତାଙ୍କର ତଦନ୍ତ ରିପୋର୍ଟରେ ଓଡ଼ିଶା ସରକାର ଓ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୋତି ବିରୋଧୀ ଭାରତ ସଂଗଠନର ଅଧ୍ୟକ୍ଷ ବାଘାମ୍ବର ପଟ୍ଟନାୟକ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ବ୍ରହ୍ମଗିରି ଥାନା ବୁଢ଼ାକେରା ଗ୍ରାମରେ ସାଧାରଣ ବର୍ଗର ଲୋକେ ଗ୍ରାମରେ ଥିବା ଗୋଚର, ଅନାବାଦୀ ଜମି ସବୁକୁ ବେଆଇନ ଭାବେ ଚାଷଜମିରେ ପରିଣତ କରି ୧୪ଟି ଗୋପାଳ ପରିବାରକୁ ସେମାନଙ୍କର ଗାଈ ମଇଁଷି ସବୁ ବିକ୍ରି କରିଦେବାକୁ ବାଧ୍ୟ କରିଛନ୍ତି । ସେମାନେ ଏହାକୁ ନମାନିବାରୁ ଗ୍ରାମରେ ବାସନ୍ଦ ରଖିବାସହ ଉଠାଜଳସେଚନ ପଏଣ୍ଟରୁ ଚାଷ ଜମିକୁ ପାଣି ଛାଡ଼ୁନାହାନ୍ତି । ଅଭିଯୋଗ କଲେ ବି ପୁଲିସ ଓ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । କମିଶନ ଏହି ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସ୍ପି ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲେ ଯେ, ଗ୍ରାମରେ ଥିବା ୨୬ ଗୋପାଳ ପରିବାର ମଧ୍ୟରୁ ୧୨ ଗୋପାଳ ପରିବାର ସେମାନଙ୍କର ଗାଈ ମଇଁଷି ବିକ୍ରି କରି ଦେଇଥିଲେ ମଧ୍ୟ ୧୪ ପରିବାର ବିକି ନଥିଲେ । ତେଣୁ ଗ୍ରାମବାସୀଙ୍କର ଏହି ୧୪ ଗୋପାଳ ପରିବାର ସହ ସମ୍ପର୍କ ନାହିଁ ଓ ସେମାନେ ଗାଁ ଭାଗବତ ଘରକୁ ଯାଇପାରୁନାହାନ୍ତି । ଏସ୍ପିଙ୍କର ରିପୋର୍ଟ ଅଭିଯୋଗକାରୀ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ପଠାଇ କମିଶନ ତାଙ୍କ ମତାମତ ଚାହିଁଥିଲେ । ଅଭିଯୋଗକାରୀ ଦର୍ଶାଇଥିଲେ ଯେ, ଏସ୍ପିଙ୍କ ରିପୋର୍ଟରୁ ୧୪ ଗୋପାଳ ପରିବାର ଗ୍ରାମରେ ବାସନ୍ଦ ଥିବା ପ୍ରମାଣିତ ହୋଇଛି । ତେଣୁ ବ୍ରହ୍ମଗିରି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ତରଫରୁ ଫୌଜଦାରୀ କାର୍ଯ୍ୟବିଧି ଆଇନର ୧୧୬ ଧାରାରେ ଅଶାନ୍ତି ପ୍ରଚାରକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏହି ଆଇନର ୧୧୭ ଧାରାରେ ଶାନ୍ତିରକ୍ଷା ପାଇଁ ବନ୍ଧକ ସହ ମୁଚାଲିକା ଲେଖାନଯିବା ଫଳରେ ବାସନ୍ଦ ପରିବାରଙ୍କର ଜୀବନ ଦୁର୍ବିସହ ହୋଇପଡ଼ିଛି । କମିଶନ ଅଭିଯୋଗକାରୀଙ୍କ ଅଭିଯୋଗ, ଏସ୍ପିଙ୍କ ରିପୋର୍ଟ ଓ ଅଭିଯୋଗକାରୀଙ୍କ ପ୍ରତ୍ୟୁତ୍ତର ଆଦିକୁ ବିଚାରକୁ ନେଇ ତାଙ୍କର ଚୂଡ଼ାନ୍ତ ରିପୋର୍ଟରେ ନିର୍ଯ୍ୟାତିତ ପରିବାରଗୁଡ଼ିକୁ ଚାଷ ପାଇଁ ପାଣିଦେବା, ସେମାନଙ୍କର ସମସ୍ତ ଅଭିଯୋଗ ଉପରେ ଏଫଆଇଆର୍ ରୁଜୁ କରିବା କିମ୍ବା ଥାନାରେ ଥିବା ଷ୍ଟେସନ ଡାଏରୀରେ ପଞ୍ଜୀକୃତ କରିବା, ନିୟମିତ ଭାବେ ସ୍ଥାନୀୟ ପୁଲିସ ଗ୍ରାମ ପରିଦର୍ଶନ କରି ନିର୍ଯ୍ୟାତିତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଓ ସୁରକ୍ଷା ଦେବା ଏବଂ ସର୍ବୋପରି ପୁଲିସ ଓ ପ୍ରଶାସନିକ ନିଷ୍କ୍ରିୟତା ପାଇଁ ୧୪ଟି ଗୋପାଳ ପରିବାରକୁ ଏକ ଲକ୍ଷଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ଗତମାସ ୨୯ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୨ ମାସ ମଧ୍ୟରେ ରିପୋର୍ଟ ପଠାଇବା ପାଇଁ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।