ବାସିଙ୍ଗିରେ ଦୁଇ ବାଲି ମାଫିଆ ଗିରଫ, ୩ ଟ୍ରାକ୍ଟର ଜବତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବହଳଦା ରାଜସ୍ୱ ତହସିଲରେ ବାଲି ମାଫିଆଙ୍କ ରାଜ। ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । ବାଲି ମାଫିଆ ମାନେ ବାହାର ରାଜ୍ୟକୁ ଶହ ଶହ ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର,ହାଇୱାରେ ଚାଲାଣ କରୁଛନ୍ତି । ଅଞ୍ଚଳ ବାସୀଙ୍କ ପାଇଁ ବାଲି ଦୁର୍ଲଭ । ଗତ ବର୍ଷ ଟ୍ରାକ୍ଟର ପିଛା ବାଲି ଟଙ୍କା ୭୦୦/୮୦୦ ଥିବା ବେଳେ ବର୍ତ୍ତମାନ ୨୨୦୦ରୁ ୨୫୦୦ଟଙ୍କା ବାଲି ଅଞ୍ଚଳ ବାସୀକୁ ମିଳୁଛି । ବାଲି ମାଫିଆ ମାନେ ନିଜ ମନ ଇଚ୍ଛା ନିଜର ରାଜୁତି ଚଳାଇଛନ୍ତି ପ୍ରଶାସନର ଅଙ୍କୁଶ ତାଙ୍କ ଉପରେ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମାନେ ଚଢ଼ା ଦରରେ ବାଲି କିଣି ନପାରି ଘର ଅଧା ଖଣ୍ଡିଆ ପକାଇଛନ୍ତି । ସାଧାରଣ ଲୋକଟେ କରୋନା ମହାମାରୀ ସମୟରେ ଘରଟିଏ ନିର୍ମାଣ ପାଇଁ ଚଢା ଦରରେ ବାଲି କିଣି ପାରୁନାହାନ୍ତି । ପ୍ରଶାସନକୁ ଲୋକେ ଜଣାଇଲେ ମଧ୍ୟ ପ୍ରଶାସନ କାନ ମୁଣ୍ଡ ହଲାଉ ନାହାନ୍ତି । ମଙ୍ଗଳବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳ,ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ତହସିଲଦାର ରଂଜନ ନାୟକ,କୁସୁମି ଅତିରିକ୍ତ ତହସିଲଦାର ଶୁଶାନ୍ତ ବରାଳ ଏବଂ ବହଳଦା ତହସିଲଦାର ପରାମନନ୍ଦ ଖଣ୍ଢେଇ ,ରାଇରଙ୍ଗପୁର ଏସ.ଡି.ପିଓ ସ୍ନେହାଶୀଷ ସାହୁଙ୍କ ନେତୃତ୍ୱରେ ବହଳଦା ତହସିଲ ଅନ୍ତର୍ଗତ ବାସିଙ୍ଗିଠାରେ ଚୋରା ବାଲି ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇଥିଲା । ପୋଲିସ ତିନୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଥାନାକୁ ନେଉଥିବା ବେଳେ ରାସ୍ତାରେ ବାଲି ଡମ୍ପିଂ କରାଇଥିଲେ । ଦୁଇ ବାଲି ମାଫିଆ ପ୍ରଶାସନ ସହିତ ଦୁର୍ବ୍ୟବହାର ଓ ଅସହଯୋଗ କରିଥିବା ଅଭିଯୋଗ ହୋଇଛି । ଥାନାରେ ସେମାନଙ୍କ ନାମରେ ମାମଲା କେଶ ନଂ ୭୨/୨୦ ରୁଜୁ କରାଯିବା ସଙ୍ଗେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ବାସିଙ୍ଗିର ପ୍ରକାଶ ସାହୁ ଏବଂ ଦୀପକ ସାହୁ । ରାଜସ୍ୱ ଓ ପୋଲିସ ପ୍ରଶାସନ ଚଢ଼ାଉରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।