ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରର ପୁନଃଉଦ୍ଧାର
ବାଲେଶ୍ୱର, (ସରୋଜ ପଣ୍ଡା):ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଜନକଲ୍ୟାଣ ଦିଗରେ ଏକ ପ୍ରମୁଖ ଅର୍ଥ ଲଗାଣକାରୀ ଯୋଜନା ଭାବେ ପ୍ରସ୍ତୁତ କରାଯାଇଥିଲା । ମାତ୍ର ବିଗତ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଏହି ଯୋଜନା ଲାଗୁ ହୋଇପାରିନଥିବା ବେଳେ ସମ୍ପ୍ରତି ଓଡିଶାର ବିଭିନ୍ନ ମାଛ ଧରା ବନ୍ଦର ଓ ମାଛ ଅବରତଣ କେନ୍ଦ୍ର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହି କ୍ରମରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅଧିନସ୍ଥ ବାହାବଲପୁର ମାଛ ଅବତରଣ କେନ୍ଦ୍ରର ଆଧୁନିକରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଏହି ପ୍ରକଳ୍ପର ସଫଳ କାର୍ଯ୍ୟକାରିତାକୁ ଅନୁଧ୍ୟାନ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ପୂର୍ବରୁ ବାହାବଳପୁର ଠାରେ ମାଛ ଅବତରଣ ପାଇଁ ରହିଥିବା ବ୍ୟବସ୍ଥା ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ହେଉନଥିବା ତଥା ସେଠାରେ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରର ଆଧୁନିକରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ନିଆଯାଇଛି । ଏହି ନିମନ୍ତେ ଆଇଆଇଟି ଚେନ୍ନାଇ ପକ୍ଷରୁ ଏହାର ବିସ୍ତୃତ ଡିପିଆର ପ୍ରସ୍ତୁତ କରାଯାଉଛି । ବିଶେଷ କରି ସମସ୍ତ ମାଛ ଧରା ଟ୍ରଲର, ଲଂଚ ଓ ବଡ ବୋଟଗୁଡିକକୁ ସ୍ଥାନ ଦେବା ପାଇଁ ଆବଶ୍ୟକତା ଅନୁଯାୟୀ ଜେଟିର ଦୈଘ୍ୟ ବୃଦ୍ଧି ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ ମତ୍ସ୍ୟଜୀବି ଓ ମତ୍ସ୍ୟ ବ୍ୟବସାୟୀଙ୍କ ପାଇଁ ଉଲ୍ଲେଖଥିବା ସୁବିଧାଗୁଡିକର ନିର୍ମାଣକୁ ଅଗ୍ରାଧିକାର ଦେବା ପାଇଁ ସେଠାରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବାହାବଳପୁର ଠାରୁ ସୋଲପଟା ଦେଇ ହଳଦୀପଦା ବାଇପାସ ଠାରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ନବୀକରଣ ପାଇଁ ରାଜ୍ୟ ସରକାର ଅନୁମତି ଦେଇସାରିଥିବାରୁ ନିର୍ମାଣକାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ ନେବାକୁ ସେଠାରେ ଉପସ୍ଥିତ ପ୍ରଶାନସିକ ଅଧିକାରୀଙ୍କୁ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ପାଇଁ ବାହାବଳପୁର ମାଛ ଅବତରଣ କେନ୍ଦ୍ରର ବେଶ ଗୁରୁତ୍ୱ ରହିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଥିରେ ଜଡିତ ହଜାର ହଜାର ମତ୍ସ୍ୟଜୀବି ଓ ବ୍ୟବସାୟୀଙ୍କ ଏହି କେନ୍ଦ୍ରର ଆଧୁନିକରଣ ଏକ ବରଦାନ ସଦୃଶ ହେବ । ଏହି ମାଛ ଅବତରଣ କେନ୍ଦ୍ରର ସଫଳ କାର୍ଯ୍ୟକାରିତାରେ ବାଲେଶ୍ୱରର ଅର୍ଥନୀତିରେ ଆଶାତୀତ ଉନ୍ନତି ଦୃଶ୍ୟମାନ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ବାଲେଶ୍ୱର ସଦର ତହସିଲଦାର ଅଶ୍ୱିନୀ କୁମାର ନାୟକଙ୍କ ସହ ସଦର ବ୍ଲକର କାର୍ଯ୍ୟାଳୟ ଓ ମସ୍ୟ ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହି ବିଧାୟକ ଶ୍ରୀ ଦତ୍ତଙ୍କୁ ପ୍ରକଳ୍ପ କାର୍ଯ୍ୟକାରିତାର ବିଭନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ବାହାବଳପୁର ମାଛ ଅବତରଣ କେନ୍ଦ୍ର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବି ଓ ବ୍ୟବସାୟୀଙ୍କ ସହ ବିଧାୟକ ଶ୍ରୀ ଦତ୍ତ ଆଲୋଚନ ପୂର୍ବକ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମାଛ ଅବତରଣ କେନ୍ଦ୍ର ଆଧୁନିକରଣ ପ୍ରକଳ୍ପ ଯୋଜନା ମୁତାବକ ଚାଲିଥିବା ବେଳେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କ୍ଷେତ୍ର ଅନୁଧ୍ୟାନ ପରେ ବିଧାୟକ ଶ୍ରୀ ଦତ୍ତ ଆଶାପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।