ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଆର୍.ଟି.ପି.ସି.ଆର୍. ରିପୋର୍ଟ ବାଧ୍ୟତାମୂଳକ

ହଟ୍ ସ୍ପଟ୍ ସ୍ଥାନରୁ ଆସିବାକୁ ବାରଣ କରାଯାଇଛି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଯାତ୍ରାପାଳନ ସକାଶେ ଲୋକେ ଜିଲ୍ଲା ବାହାରୁ ଆସୁଥିବା ଜଣା ପଡିଲେ ସେହି ଅଞ୍ଚଳର ଯାତ୍ରାକୁ ସ୍ଥଗିତ କରାଯିବ । ବ୍ରହ୍ମପୁର ରେଳ ଷ୍ଟେସନରେ ଯାତ୍ରୀ ମାନଙ୍କର କରାଯାଉଥିବା ସ୍ବାସ୍ଥ୍ୟ ଯାଂଚ୍ କାର୍ଯ୍ୟ ଭଳି ଛତ୍ରପୁର ଏବଂ ଖଲ୍ଲିକୋଟ ଷ୍ଟେସନ୍ ରେ ମଧ୍ୟ କରିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଛନ୍ତି । ସୋମବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ କୋଭିଡ୍ ସମୟରେ ଯେଉଁଭଳି ଭାବେ କଟକଣା ଜାରି କରାଯାଇ ପଞ୍ଚସୂତ୍ରୀ ନିୟମ ପାଳନକୁ ଗୁରୁତ୍ବ ଦିଆବା ସହ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟାକୁ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ସକାଶେ ଯଦି ପ୍ରବାସୀ ମାନେ ଆସୁଛନ୍ତି ତେବେ ସେମାନଙ୍କର ସଂପୂର୍ଣ୍ଣ ତଥ୍ୟ ରେକର୍ଡଭୁକ୍ତ କରାଯିବା ସହିତ ସ୍ବାସ୍ଥ୍ୟ ଯାଂଚ୍ କରି ୭ ଦିନ ହୋମ୍ ଆଇସୋଲେସନ୍ ରେ ରଖାଯିବ । ଏହା ବ୍ୟତୀତ ଯଦି ଦଣ୍ଡନାଚ, ଠାକୁରାଣୀ ଯାତ୍ରା ପାଳନ ନିମନ୍ତେ ଆସୁଥାନ୍ତି ତେବେ ସେମାନେ ଜିଲ୍ଲାକୁ ନ ଆସିବା ପାଇଁ କୁହାଯାଉଛି । ସ୍ଥାନୀୟ ଲୋକମାନେ ହିଁ ଯାତ୍ରାରେ ଅଂଶ ଗ୍ରହଣ କରିପାରିବେ । ବାହାରୁ ଆସୁଥିବା ଲୋକଙ୍କ ପ୍ରତି ନଜର ରଖିବା ସକାଶେ ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ତହସିଲଦାର ଓ ସଂପୃକ୍ତ ଅନ୍ୟାନ୍ୟ ଅଧିକାରୀ ଙ୍କୁ ଦାୟୀତ୍ବ ଦିଆଯାଇଛି ଯଦି କେହି ଆସନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ସ୍ବାସ୍ଥ୍ୟର ସ୍ଥିତି ଯାଂଚ୍ କରି ହୋମ୍ ଆଇସୋଲେସନ୍ ରେ ରଖାଯାଇ ପ୍ରତିଦିନ ରିପୋର୍ଟ ସଂଗ୍ରହ କରାଯିବ ଏଥିସହ କେତେ ପ୍ରବାସୀ ଆସୁଛନ୍ତି ତାହା ରେକର୍ଡ କରାଯିବ । କୋଭିଡ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଲେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ । ଦୋଳପୂର୍ଣ୍ଣିମା ଯାତ୍ରା ଜନ ସାଧାରଣ ମିଳିମିଶି କରନ୍ତୁ ନାହିଁ ନିଜ ଘରେ ହୋଲିପର୍ବ ପାଳନ କରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ମା ତାରାତାରିଣୀ ଯାତ୍ରା ସମୟରେ ପ୍ରସାଦ ସେବନ କି ଭୋଜିଭାତ କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ପ୍ରସାଦ ପ୍ୟାକେଟ କରି ଘରକୁ ନେଇପାରିବେ । ଗହଳିକୁ ସଂପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି । ମାଇକ୍ ଯୋଗେ ପ୍ରଚାର ଓ ପ୍ରସାର କରି ସଚେତନତା ସୃଷ୍ଟି ସକାଶେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିର ଗୁଡିକ କୋଭିଡ୍ ନିୟମ ଅନୁପାଳନ ନକଲେ ସଂପୃକ୍ତ ମନ୍ଦିରକୁ ଦୁଇ କିମ୍ବା ତିନିଦିନ ବନ୍ଦ ରଖାଯିବ । ସମସ୍ତ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ମାନଙ୍କରେ କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଚିକିତ୍ସାଳୟ ଗୁଡିକରେ ଆଇସୋଲେସନ୍ ପ୍ରସ୍ତୁତ କରି ରଖାଯିବ । ବର୍ତ୍ତମାନ ପ୍ରଦାନ କରାଯାଇଥିବା ଭ୍ୟାକସିନ୍ ଗୁଡିକ ଯେମିତି ଶତପ୍ରତିଶତ ଶେଷ ହେବ ସେଥିନିମନ୍ତେ ଦୃଷ୍ଟି ଦେବାକୁ ଗୁରୁତ୍ବ ଦିଆଯାଇଛି । ବସ୍ ଗୁଡିକରେ ସିଟ୍ ବ୍ୟତୀତ ଠିଆ ହୋଇ ଯାତ୍ରୀ ମାନେ ଯେପରି ଚଢିବେ ନାହିଁ ସେଥିନିମନ୍ତେ ବସ୍ ମାଲିକ ମାନେ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ନିୟମ କଟକଣା ପାଳନ ନହୁଏ ତେବେ ଲକ୍ ଡାଉନ୍, ସଟ୍ ଡାଉନ୍ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ଜନ ସାଧାରଣଙ୍କୁ ଅନୁରୋଧ କୋଭିଡ୍ ନିୟମର ଅନୁପାଳନ କରନ୍ତୁ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତର ସମ୍ଭାବନା ରହିଛି । ଏଣୁ ସମସ୍ତ ପ୍ରକାର ଆସୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ନଳକୂପ ମରାମତି କରି ରଖନ୍ତୁ ଏବଂ ଯେଉଁଠି ନଳକୂପ ଅଚଳ ହେଉଛି ଖବର ପାଇଲେ ତୁରନ୍ତ ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ । ଜଳକ୍ଲୀଷ୍ଟ ଅଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ଜଣାଇଥିଲେ । ରାସ୍ତା କଡରେ ଅସ୍ଥାୟୀ ବିଶ୍ରାମ ସ୍ଥାନ ନିର୍ମାଣ କରି ଜଳଛତ୍ର ବ୍ୟବସ୍ଥା କରିବାକୁ ଏବଂ ଅଂଶୁଘାତ ଜନିତ ସଚେତନତା ବାର୍ତ୍ତା କୁ ବହୁଳ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ଗାଈ ମାନଙ୍କ ସକାଶେ ପାନୀୟ ଜଳ ରଖିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କିର୍ତ୍ତିଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ