ବାହାର ରାଜ୍ୟରୁ ଫେରିଥିବା ଲୋକଙ୍କୁ ନେଇ ସଙ୍କଟରେ ବାଲିବରେଇ ପଞ୍ଚାୟତ

ହାଟଡ଼ିହି,(ସୋମ୍ୟରଞ୍ଜନ ଆଚାର୍ଯ୍ୟ):ଆଦିବସୀ ଓ ହରିଜନ ବହୁଳ ବାଲିବରେଇ ଗ୍ରାମପଞ୍ଚାୟତରେ ଅଧିକାଶଂ ଲୋକ ଖଣି ଶ୍ରମିକ ଭାବରେ କାର୍ଯ୍ୟକରି ଜୀବିକା ନିର୍ବାହ କରୁଥିଲେ । ବଉଳା ଅଞ୍ଚଳରେ ଖଣିସବୁ ବନ୍ଦ ହୋଇଯିବାପରେ ଏହି ପଞ୍ଚାୟତର ଶହଶହ ଲୋକ ବାହାର ରାଜ୍ୟକୁ ଯାଇ କାମ କରୁଥିବାବେଳେ କରୋନା ସଂକ୍ରମଣ ପରେ ସେସବୁ କମ୍ପାନୀ ଗୁଡିକ ବନ୍ଦ ହୋଇଯିବାରୁ କାମ ନପାଇ ପ୍ରାୟ ୭୦ରୁ ଉର୍ଦ୍ଧ ଲୋକ ଘରକୁ ଫେରି ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଥଣ୍ଡା, ଜ୍ୱର, କାଶରେ ଏବେ ପିଡିତ ଥିବା ଦେଖିବାକୁ ମିଳିଛି । କିନ୍ତୁ ସେମାନେ କୌଣସି ଆଇସୋଲେସନ ଘରେ କିମ୍ବା ନିଜଘର ମାନଙ୍କରେ ସଙ୍ଗରୋଧ ହୋଇ ରହି ନାହାଁନ୍ତି । ନିଜ ପରିବାର ଓ ସାଙ୍ଗସାଥିଙ୍କ ସହିତ ସ୍ୱଚ୍ଛନ୍ଦରେ ବିଚରଣ କରୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇ ପଡିଛନ୍ତି । ସେମାନଙ୍କୁ ଗ୍ରାମବାସୀମାନେ ଯେତେ ପ୍ରକାର ବାରଣ କରୁଥିଲେବି ସେମାନେ କୌଣସି ଆକଟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଗତ ଦୁଇଦିନ ତଳେ ନୁଆଗାଁ ଗ୍ରାମର ଜଣେ ବ୍ୟକ୍ତି ବାହାର ରାଜ୍ୟରୁ ଆସିବାପରେ ନୁଆଗାଁ ଗ୍ରାମବାସୀମାନେ ତାଙ୍କୁ ପଞ୍ଚାୟତର ଆଇସୋଲେସନ ଗୃହରେ ରଖିବା ପାଇଁ କହିବାରୁ ସରପଞ୍ଚ ଏହାକୁ ମନଦାକରି ଦେଇଥିଲେ । କେବଳ ସନ୍ଧିଗ୍ଧ ଆକ୍ରାନ୍ତମାନେ ଏହି ଘରେ ରହିବେ ବୋଲି ବିଡିଓ ସରପଞ୍ଚ ସୁଚନା ଦେବାରୁ ଗାଁ ଲୋକେ ଉକ୍ତ ବ୍ୟକ୍ତିଙ୍କୁ ଗାଁର ଏକ ନିଛାଟିଆ ଘରେ ରଖିଛନ୍ତି । ଏହି ପଞ୍ଚାୟତରେ ୭୦ରୁ ଉର୍ଦ୍ଧ ଲୋକ ବାହାର ରାଜ୍ୟରୁ ଆସିଥିବାବେଳେ ଏବେ ସୁଧା ମାତ୍ର ୩୩ଜଣ ବ୍ୟକ୍ତି ସେମାନଙ୍କ ନାମ ପଞ୍ଜିକୃତ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିଥିବାବେଳେ ଅନ୍ୟମାନେ ଆଜି ପର୍ଯ୍ୟନ୍ତ ନାମ ପଞ୍ଜିକୃତ କରି ନାହାନ୍ତି । ବାହାରୁ ଆସୁଥିବା ଅନେକ ଗରିବ ଶ୍ରେଣୀର ଲୋକମାନେ ସେମାନଙ୍କର ଗୋଟିଏ ଗୋଟିଏ ବାସଗୃହ ଥିବାରୁ ସଙ୍ଗରୋଧ ପାଇଁ ସେମାନଙ୍କ ପାଖରେ ବିକଳ୍ପ ନଥିବାରୁ ସେମାନେ ପରିବାର ସହିତ ରହୁଥିବା କହିଛନ୍ତି । ଫଳରେ ଏହି ବାହାର ରାଜ୍ୟ ଫେରନ୍ତାଙ୍କୁ ନେଇ ପଞ୍ଚାୟତବାସୀ ଭୟାତୁର ଅବସ୍ଥାରେ ଗତି କରୁଥିବାବେଳେ ସେମାନଙ୍କୁ ସଙ୍ଗରୋଧ କରି ରଖିବା ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦିଗରେ ପଦକ୍ଷେପ ନେବାକୁ ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ